କାନପୁର ହେୟାର ଟ୍ରାନ୍ସପ୍ଲାଣ୍ଟ କାଣ୍ଡ: ଆଧା ଦାମରେ ଚିକିତ୍ସାର ପ୍ରଲୋଭନ, ୨ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଫେରାର

କାନପୁର: ଉତ୍ତରପ୍ରଦେଶର କାନପୁର ସହରରେ ହେୟାର ଟ୍ରାନ୍ସପ୍ଲାଣ୍ଟ କାରଣରୁ ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ଅନୁଷ୍କା ତିୱାରୀ, ଯିଏ ନିଜକୁ ଡାକ୍ତର ବୋଲି ଦାବି କରୁଥିଲେ, ଘଟଣା ପରେ ଫେରାର ହୋଇଯାଇଛନ୍ତି। ପୀଡ଼ିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଅନୁଷ୍କା ଆଧା ଦାମରେ ହେୟାର ଟ୍ରାନ୍ସପ୍ଲାଣ୍ଟର ଲୋଭନୀୟ ପ୍ରସ୍ତାବ ଦେଇ ଲୋକଙ୍କୁ ଆକୃଷ୍ଟ କରୁଥିଲେ।

ପ୍ରଥମ ଘଟଣାରେ ପନକୀ ପାୱାର ହାଉସରେ କାର୍ଯ୍ୟରତ ସହକାରୀ ଇଞ୍ଜିନିୟର ବିନୀତ ଦୁବେ (୩୭) ୧୩ ମାର୍ଚ୍ଚ ୨୦୨୫ରେ ରାୱତପୁରସ୍ଥିତ ଅନୁଷ୍କାଙ୍କ ଏମ୍ପାୟାର କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ। ପ୍ରକ୍ରିୟା ମଧ୍ୟରେ ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କ ମୁହଁରେ ସୁଜନ ଆସିଥିଲା ଏବଂ ସ୍ୱାସ୍ଥ୍ୟବସ୍ଥା ଦ୍ରୁତ ଖରାପ ହୋଇଥିଲା। ପରିବାର ତାଙ୍କୁ ରିଜେନ୍ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ୧୫ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିନୀତଙ୍କ ପତ୍ନୀ ଜୟା ଦୁବେ ଅଭିଯୋଗ କରିଛନ୍ତି ଯେ ଅନୁଷ୍କା କୌଣସି ଆବଶ୍ୟକୀୟ ପରୀକ୍ଷା ନକରି ଏବଂ ଲାପରବାହୀର ସହ ଚିକିତ୍ସା କରିଥିଲେ, ଯାହା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର କାରଣ ହୋଇଛି। ଘଟଣା ପରେ ଅନୁଷ୍କା କ୍ଲିନିକ ବନ୍ଦ କରି ଫେରାର ହୋଇଯାଇଥିଲେ। ୫୬ ଦିନର ଅକ୍ଲାନ୍ତ ପ୍ରୟାସ ପରେ ଜୟାଙ୍କ ଅଭିଯୋଗରେ ରାୱତପୁର ଥାନାରେ ଅନୁଷ୍କାଙ୍କ ବିରୁଦ୍ଧରେ ଏଫଆଇଆର ଦାୟର ହୋଇଥିଲା।

ଦ୍ୱିତୀୟ ଘଟଣାରେ ଫର୍ରୁଖାବାଦର ମୟଙ୍କ କଟିହାର ନାମକ ଜଣେ ଇଞ୍ଜିନିୟର ୧୮ ନଭେମ୍ବର ୨୦୨୪ରେ ଏମ୍ପାୟାର କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ। ପ୍ରକ୍ରିୟା ପରେ ତାଙ୍କ ମୁହଁରେ ସୁଜନ ଓ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଅନୁଷ୍କାଙ୍କୁ ବାରମ୍ବାର ଫୋନ କରିଥିଲେ, କିନ୍ତୁ ସେ ‘ସବୁ ଠିକ୍ ଅଛି’ ବୋଲି କହି ଅଣଦେଖା କରିଥିଲେ। ପରେ ସେ ପରିବାରଙ୍କ ନମ୍ବର ବ୍ଲକ୍ କରି ଫୋନ ବନ୍ଦ କରିଦେଇଥିଲେ। ୧୯ ନଭେମ୍ବର ସକାଳେ ମୟଙ୍କଙ୍କର ମୃତ୍ୟୁ ହୋଇଥିଲା। ମୟଙ୍କଙ୍କ ମା’ ପ୍ରମୋଦିନୀ କଟିହାର ଅଭିଯୋଗ କରିଛନ୍ତି ଯେ ଅନୁଷ୍କାଙ୍କ ଲାପରବାହୀ ଓ ଅପେଶାଦାରୀ ଚିକିତ୍ସା ତାଙ୍କ ପୁଅର ଜୀବନ ନେଇଛି।

ଅଭିଯୋଗ ଅନୁସାରେ, ଅନୁଷ୍କା ୧୦ ରୁ ୨୦ ଲକ୍ଷ ଟଙ୍କା ମୂଲ୍ୟର ହେୟାର ଟ୍ରାନ୍ସପ୍ଲାଣ୍ଟକୁ ଆଧା ଦାମରେ କରିବାର ପ୍ରଲୋଭନ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲେ। ତାଙ୍କ କ୍ଲିନିକରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ଥିବା ସହ ସେ ବିନା ମେଡିକାଲ ଡିଗ୍ରୀରେ ଏହି ସଂକଟପୂର୍ଣ ପ୍ରକ୍ରିୟା କରୁଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଅନୁଷ୍କା ହରିୟାଣାର ମୂଳ ନିବାସୀ ଏବଂ ତାଙ୍କର ଡିଗ୍ରୀ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। କେତେକ ସୂତ୍ର ଅନୁସାରେ, ସେ ଜଣେ ଡେଣ୍ଟିଷ୍ଟ ହୋଇପାରନ୍ତି, କିନ୍ତୁ ହେୟାର ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କର କୌଣସି ଯୋଗ୍ୟତା ନଥିବା ଦାବି କରାଯାଉଛି।