UAEରେ ଭାରତୀୟ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା! ତଣ୍ଟି ଚିପି ପେଟକୁ ମାରିଲେ ଗୋଇଠା, ଫ୍ଲାଟରେ ମୃତଦେହ ଉଦ୍ଧାର
ବିଦେଶରେ ଭାରତୀୟ ମହିଳାଙ୍କୁ ଯୌତୁକ ପାଇଁ ମାରିଦେଲେ, ଜାଣନ୍ତୁ
ନୂଆଦିଲ୍ଲୀ: କେରଳର ଜଣେ ୨୯ ବର୍ଷୀୟ ଭାରତୀୟ ମହିଳା ଅତୁଲ୍ୟ ଶେଖରଙ୍କର UAEର ସାରଜାହାରେ ରହସ୍ୟମୟ ଭାବେ ମୃତ୍ୟୁ ଘଟିଛି। ଅତୁଲ୍ୟ ୨୦୧୪ ମସିହାରେ କୋଲ୍ଲମର ବାସିନ୍ଦା ସତୀଶଙ୍କ ସହ ବିବାହ କରିଥିଲେ ଏବଂ ବିବାହ ପରେ ସେ ସତୀଶଙ୍କ ସହିତ UAE ଚାଲିଯାଇଥିଲେ।
ଅତୁଲ୍ୟଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଅତୁଲ୍ୟଙ୍କ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ନିରନ୍ତର ହଇରାଣ କରୁଥିଲେ। ଅତୁଲ୍ୟଙ୍କ ମା’ଙ୍କର କହିବା ଅନୁଯାୟୀ, ୧୮ ରୁ ୧୯ ଜୁଲାଇ ମଧ୍ୟରେ ସତୀଶ ଅତୁଲ୍ୟଙ୍କୁ ଗଳା ଚିପି ହତ୍ୟା କରିଛନ୍ତି, ତାଙ୍କ ପେଟକୁ ଗୋଇଠା ମାରିଥିଲେ ଏବଂ ତାଙ୍କ ମୁଣ୍ଡକୁ ଏକ ପ୍ଲେଟରେ ପିଟିଛନ୍ତି, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଅତୁଲ୍ୟଙ୍କ ମାଆ ଦାବି କରିଛନ୍ତି ଯେ, ବିବାହ ସମୟରେ ସତୀଶଙ୍କୁ ଯୌତୁକ ଭାବରେ 40 ରୁ ଅଧିକ ଭରି ସୁନା ଅଳଙ୍କାର ଏବଂ ଏକ ବାଇକ୍ ଦିଆଯାଇଥିଲା। ଏହା ସତ୍ତ୍ୱେ, ଅତୁଲ୍ୟଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା। ଶାରଜାହ ପୋଲିସ ଏବେ ସତୀଶଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ଏହି ମାସ ଆରମ୍ଭରେ, କେରଳର ଆଉ ଜଣେ ମହିଳା, ବିପଞ୍ଚିକା ମାନିୟାନ୍ ଏବଂ ତାଙ୍କ ଏକ ବର୍ଷର ଝିଅଙ୍କର ମଧ୍ୟ ଶାରଜାହରେ ଏକ ଆପାର୍ଟମେଣ୍ଟରେ ମୃତ୍ୟୁବରଣ କରିଥିଲେ।
ସେହି ଘଟଣାରେ ମଧ୍ୟ ମହିଳାଙ୍କ ପରିବାର ତାଙ୍କ ଶ୍ୱଶୁର ଘର ଲୋକଙ୍କ ଉପରେ ମାନସିକ ନିର୍ଯାତନା ଏବଂ ଯୌତୁକ ପାଇଁ ହଇରାଣ କରୁଥିବାର ଅଭିଯୋଗ କରିଥିଲେ।