ନ୍ୟାୟିକ ହେପାଜତକୁ ଗଲେ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କ ମାଆ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକ ଏବଂ ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖିଆ ଅମୃତପାଲ ସିଂହଙ୍କ ମା’ ବଲୱିନ୍ଦର କୌରଙ୍କୁ ପୋଲିସ ନ୍ୟାୟିକ ହେପାଜତକୁ ନେଇଛି । ଅମୃତପାଲଙ୍କୁ ଆସାମ ଜେଲରୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବି ନେଇ ବଲୱିନ୍ଦରଙ୍କ ସହ ଅନ୍ୟ ୩ ଜଣଙ୍କୁ ପୋଲିସ ନ୍ୟାୟିକ ହେପାଜତକୁ ନେଇଛି । ଏପ୍ରିଲ ୮ରେ ହେବାକୁ ଥିବା ଖଲାସା ଚେତନା ରାଲି ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି ।

ଅମୃତସରର ଡିସିପି ଆଲମ ବିଜୟ ସିଂହଙ୍କ କହିବାନୁଯାୟୀ ବଲୱିନ୍ଦରଙ୍କ ସହ ଅମୃତପାଲଙ୍କ ଦାଦା ଏବଂ ୩ ଜଣଙ୍କୁ Preventive Custodyକୁ ନିଆଯାଇଛି । ଅମୃତପାଲ ଏବଂ ତାଙ୍କ ୯ ଜଣ ସାଥିଙ୍କୁ ଆସାମରୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବିରେ ଏପ୍ରିଲ ୮କୁ ବଲୱିନ୍ଦର କୌର ଏକ ‘ଚେତନା ରାଲି’ ପାଇଁ ଯୋଜନା କରୁଥିଲେ । ଏହି ରାଲି ବଠିଣ୍ଡା ସ୍ଥିତ Takht Damdama Sahibରୁ ଆରମ୍ଭ ହୋଇଥାନ୍ତା । ଏନେଇ ଡିସିପିଙ୍କ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ । କହିରଖୁଛୁ ଗତ ବର୍ଷ ଏପ୍ରିଲରେ ଜାତୀୟ ସୁରକ୍ଷା ଆଇନ୍‌(ଏନଏସଏ) ଅନ୍ତର୍ଗତ ଅମୃତପାଲଙ୍କ ସହ ୯ ଜଣ ସାଥିଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେମାନେ ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦ ଅଛନ୍ତି । ଅଭିଯୁକ୍ତମାନେ ଅଜନାଲା ପୋଲିସ ଷ୍ଟେସନ ଉପରେ ଖଣ୍ଡା ଏବଂ ଲାଠି ଯୋଗେ ଆକ୍ରମଣ କରିଥିଲେ । ଏହି ହଙ୍ଗାମା ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା । ତେବେ ଲଭପ୍ରୀତ ତୁଫାନଙ୍କ ମୁକ୍ତି ଦାବିକୁ ନେଇ ଏହି ଆକ୍ରମଣ କରାଯାଇଥିଲା । ଏହି ଗିରଫଦାରୀକୁ ନେଇ ବଲୱିନ୍ଦରଙ୍କ ସମେତ ଅନ୍ୟ ନ ଜଣ ସାଥି(କଏଦୀ)ଙ୍କ ପରିବାର ଫେବୃଆରୀ ୨୨କୁ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପାଖରେ Hunger strikeରେ ବସିଥିଲେ । ବିକ୍ଷୋଭକାରୀମାନେ କହିଥିଲେ ଯେପର୍ଯ୍ୟନ୍ତ ଅମୃତପାଲଙ୍କ ସମେତ ୯ ଜଣ କଏଦୀଙ୍କୁ ପଞ୍ଜାବ ଜେଲ ସ୍ଥାନାନ୍ତରିତ କରାଯାଇନାହିଁ ଏହି Hunger strike ଜାରି ରହିବ । ଅପରପକ୍ଷରେ ବଲୱିନ୍ଦରଙ୍କ ସହ ସମେତ ଅନ୍ୟମାନଙ୍କୁ ନ୍ୟାୟିକ ହେପାଜତକୁ ନିଆଯିବା ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଅକାଲୀ ଦଳ ପଞ୍ଜାବର ଆପ୍ ସରକାରକୁ କଡ଼ା ନିନ୍ଦା କରିଛି ।