ଆମେରିକାକୁ ଖୋଲା ଧମକ ଦେଲେ ଖାମେନେଇଙ୍କ ଘନିଷ୍ଠ ସହଯୋଗୀ, କହିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେକୌଣସି ସମୟରେ ହୋଇପାରେ ଡ୍ରୋନ୍ ଆକ୍ରମଣ

ତେହେରାନ,୯ା୭: ଇରାନର ସୁପ୍ରିମଲିଡର ଆୟାତୋଲ୍ଲା ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଟ୍ରମ୍ପ ତାଙ୍କ ବିଳାସପୂର୍ଣ୍ଣ ଘର ମାର-ଏ-ଲାଗୋରେ ସୂର୍ଯ୍ୟ ସ୍ନାନ କରୁଥିବା ସମୟରେ ଡ୍ରୋନ୍ ଆକ୍ରମଣ ହୋଇପାରେ ।

ସେ କହିଛନ୍ତି, ଏକ ଛୋଟ ଡ୍ରୋନ୍ ତାଙ୍କ ଉପରେ ଆକ୍ରମଣ କରିପାରିବ। ଏହା ବହୁତ ସହଜ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଲାରିଜାନିଙ୍କୁ ଆୟାତୋଲ୍ଲା ଖାମେନେଇଙ୍କ ନିକଟତରବ।

ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ‘ବ୍ଲଡ୍ ପ୍ୟାକ୍ଟ’ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଉଭା ହୋଇଛି, ଯାହା ଖାମେନେଇଙ୍କୁ ଅପମାନିତ କରୁଥିବା ଏବଂ ତାଙ୍କ ଜୀବନକୁ ବିପଦରେ ପକାଇଥିବା ଲୋକଙ୍କ ବିରୋଧରେ ‘ପ୍ରତିଶୋଧ’ ପାଇଁ ପାଣ୍ଠି ସଂଗ୍ରହ କରୁଛି। ଏପର୍ଯ୍ୟନ୍ତ ଏହା $୨୭ନିୟୁତରୁ ଅଧିକ ସଂଗ୍ରହ କରିଛି ଏବଂ ଏହାର ଲକ୍ଷ୍ୟ $୧୦୦ନିୟୁତ ପହଞ୍ଚିବା।  ଏକ ବିବୃତ୍ତିରେ କୁହାଯାଇଛି, ଆଲ୍ଲାହର ଶତ୍ରୁମାନଙ୍କୁ ନ୍ୟାୟ ପ୍ରଦାନ କରୁଥିବା ଏବଂ ଖାମେନିଙ୍କ ଜୀବନକୁ ବିପଦରେ ପକାଇଥିବା ଲୋକଙ୍କୁ ଆମେ ପୁରସ୍କୃତ କରିବୁ।’

ଇରାନର ରିଭଲ୍ୟୁସନରୀ ଗାର୍ଡ ସହିତ ଜଡିତ ଫାର୍ସ ନ୍ୟୁଜ୍ ଏଜେନ୍ସି ଏହି ଅଭିଯାନ ଆରମ୍ଭ ହେବା ନିଶ୍ଚିତ କରିଛି ଏବଂ ପାଶ୍ଚାତ୍ୟ ଦେଶ ଏବଂ ସହର କେନ୍ଦ୍ରଗୁଡ଼ିକର ଦୂତାବାସରେ ପ୍ରତିବାଦ କରିବାକୁ ଧାର୍ମିକ ଗୋଷ୍ଠୀଗୁଡ଼ିକୁ ନିବେଦନ କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ ‘ମୋହାରେବେ’ ଭଳି ଇସଲାମିକ ଆଇନ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଲାଗୁ ହେବା ଉଚିତ। ଇରାନୀ ଆଇନରେ ‘ମୋହାରେବେ’ ଅର୍ଥାତ୍ ‘ଆଲ୍ଲାହଙ୍କ ବିରୋଧରେ ଯୁଦ୍ଧ’ ଏକ ଗମ୍ଭୀର ଅପରାଧ ଯାହା ମୃତ୍ୟୁଦଣ୍ଡଯୋଗ୍ୟ।

ଟ୍ରମ୍ପ ୨୦୨୦ରେ ଇରାକରେ ଇରାନୀ ଜେନେରାଲ କାସିମ ସୁଲେମାନୀଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେବା ପରଠାରୁ ନିରନ୍ତର ଇରାନୀ ଆକ୍ରମଣର ଟାର୍ଗେଟରେ ଅଛନ୍ତି। ଗତ ବର୍ଷ, ଆମେରିକୀୟ ଏଜେନ୍ସିଗୁଡ଼ିକ ପ୍ରକାଶ କରିଥିଲେ ଯେ ଇରାନର ରିଭଲ୍ୟୁସନରୀ ଗାର୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ।