ଭୁବନେଶ୍ୱର: ଆଜି ମାଘ ସପ୍ତମୀ। ଏଥିପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଏଥିସହ ଆଜିଠାରୁ ରାଜଧାନୀରେ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି।
ଏଥିପାଇଁ ଶତାଧିକ ସାଧୁସନ୍ଥ ଖଣ୍ଡଗିରି ମେଳାରେ ଭିଡ଼ ଜମାଇଛନ୍ତି। ତେବେ ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ଯାଏଁ ଚାଲିବ।
ତେବେ ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାରେ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ସମଗ୍ର ମେଳା ଅଞ୍ଚଳରେ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।
ସେହିପରି ଦେଖଣାହାରୀମାନଙ୍କୁ ସହାୟତା କରିବା ପାଇଁ ୭୦ଟି ସୂଚନା କେନ୍ଦ୍ର ଖୋଲାଯାଇଛି।
ଅଶ୍ଳୀଳ ନୃତ୍ୟ କଲେ ‘ଠେଙ୍ଗା ପାହାର’: ଖଣ୍ଡଗିରି ମେଳା ଆମର ଐତିହ୍ୟ ଓ ସଂସ୍କୃତିର ନିଦର୍ଶନ। ମେଳାରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି କେହି ଏଥିରେ ଖିଲାପ କରନ୍ତି ତେବେ ଠେଙ୍ଗା ପାହାର ତାର କମାଲ୍ ଦେଖାଇବ।
ଅଶ୍ଳୀଳ ନୃତ୍ୟ ଉପରେ ରୋକ୍ ଲଗାଇବା ପାଇଁ ଠେଙ୍ଗା ପାହାର ସର୍ବଶେଷ ଓ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି।