ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ୁଛି କିଡନୀ ରୋଗ: ଦୁଇଟି ଗାଁରେ ୨୯ ଜଣଙ୍କ ମୃତ୍ୟୁ ଘଟିଲାଣି, ଭୟରେ ଗାଁ ଛାଡ଼ୁଛନ୍ତି ଅଞ୍ଚଳବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ପରିବେଶ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ମଣିଷର ଅନେକ ଦାୟିତ୍ୱହୀନତା କାର୍ଯ୍ୟ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁର କୁପରିଚାଳନା ଏଥିପାଇଁ ଦାୟୀ । ବର୍ତ୍ତମାନ ସମୟରେ ଜଳ, ବାୟୁ ସତେ ଯେମିତି ବିଷ ପାଲଟିଛି । ଏନେଇ ବିଶେଷଜ୍ଞମାନେ ସତର୍କ କରିବା ସହିତ ଅନେକ ରିସର୍ଚ୍ଚ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଓଡ଼ିଶାରେ ମଧ୍ୟ ଏପରି ବହୁ ଉଦାହରଣ ଦେଖିବାକୁ ମିଳିଛି ।

ତେବେ ଜଳରେ ମାତ୍ରାଧିକ ମାତ୍ରାରେ ଫ୍ଲୋରାଇଡ୍ ରହିବା ଫଳରେ ତାହା ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହି କାରଣରୁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର ଗଉଡ଼ଗୋଠ଼ ଗ୍ରାମରେ ବହୁ ଲୋକଙ୍କ ଜୀବନ ଚାଲିଗଲାଣି । ଲୋକମାନେ କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଭୟରେ ଜଣଙ୍କ ପରେ ଜଣେ ଗାଁ ଛାଡ଼ି ପଳାୟନ କରୁଥିବା ଦେଖାଯାଉଛି । ପିଇବା ପାଣିରେ ମାତ୍ରାଧିକ ଫ୍ଲୋରାଇଡ କାରଣରୁ ସେମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ତେବେ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଓ ଗଉଡ଼ଗୋଠ ଗ୍ରାମରେ ଗତ ୨୦୧୫ରୁ ୨୦୨୦ ମଧ୍ୟରେ ପାଖାପାଖି ୨୩ ଜଣ କିଡନୀ ରୋଗରେ ପ୍ରାଣ ହରାଇଛନ୍ତି । ସେହିପରି ଗତବର୍ଷ ଗଉଡ଼ଗୋଠ ଗାଁର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ମାସରେ ଆଉ ଜଣଙ୍କର ଜୀବନ ହାନୀ ହୋଇଛି । ତେଣୁ ଏପରି ସ୍ଥିତିରେ ଲୋକମାନେ ଗାଁ ଛାଡ଼ି ନିଜର ବନ୍ଧୁ ପରିଜନଙ୍କ ଘରେ ଆଶ୍ରୟ ନେଉଛନ୍ତି । ଏହି ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନୟାଗଡ଼ର ରଣପୁର ଓ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ସମାନ ଧରଣର ଅଭିଯୋଗ ଆସିଥିଲା । କିଡନୀ ରୋଗରେ ଉଭୟ ଅଞ୍ଚଳରୁ ବହୁ ଲୋକ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା । ପାନୀୟ ଜଳ କାରଣରୁ ଏହି କିଡନୀ ସମସ୍ୟା ଦେଖାଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ ।