fbpx

‘ଆମକୁ ମାରନ୍ତୁ ବା ପୋତି ଦିଅନ୍ତୁ, କିଛି ଫରକ ପଡିବ ନାହିଁ, ଲକ୍ଷ୍ମୀପୁର ଖିରି ଯେମିତି ହେଲେ ଯିବୁ’

Advertisement

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ ଚାଷୀଙ୍କୁ ହତ୍ୟା ଏବଂ ହିଂସାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, କୃଷକଙ୍କୁ ସରକାର ଆକ୍ରମଣ କରୁଛନ୍ତି । କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଯାଉଛି । ପ୍ରଧାନମନ୍ତ୍ରୀ ଲଖନଉ ଗଲେ କିନ୍ତୁ ଲକ୍ଷ୍ମୀପୁର ଖିରି ଯାଇ ପାରିଲେ ନାହିଁ ବୋଲି ରାହୁଲ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କ ସହ ହୋଇଥିବା ଧସ୍ତାଧସ୍ତି ବିଷୟରେ ରାହୁଲ କହିଛନ୍ତି, ଏହା କୃଷକଙ୍କ ପ୍ରସଙ୍ଗ । ପ୍ରିୟଙ୍କାଙ୍କ ସହିତ ଧସ୍ତାଧସ୍ତି ହେବା କିଛି ଫରକ ପଡେ ନାହିଁ । ଆମକୁ ମାରି ଦେଲେ କି ପୋତି ଦେଲେ ଏଥିରେ କୌଣସି ଫରକ ପଡେ ନାହିଁ । ଏହା କେବଳ କୃଷକଙ୍କ ହିତର ପ୍ରସଙ୍ଗ । ମୁଁ ଲଖନଉ ଯାଇ ଘଟଣାର ବାସ୍ତବତା ଜାଣିବାକୁ ଚାହୁଁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ସେ କହିଛନ୍ତି, ସରକାର କୃଷକଙ୍କ ଶକ୍ତି ବୁଝି ପାରୁ ନାହିଁ । ତିନି କୃଷକ ଆଇନ ଜରିଆରେ କୃଷକଙ୍କ ଉପରେ ଆକ୍ରମଣ କରାଯାଉଛି । ପୂରା ଦେଶରେ କୃଷକଙ୍କ ଯୋଜନାବଦ୍ଧ ଭାବେ ହମଲା କରାଯାଉଛି । ପ୍ରଥମେ ଭୂମି ଅଧୀଗ୍ରହଣ ବିଧେୟକ ପାରିତ କରାଗଲା । ପୁଣି ତିନି ନୂତନ କୃଷି ଆଇନ ଆଗତ କରାଗଲା । ଏବେ କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଯାଉଛି । ଏହି ସରକାରରେ ଯିଏ ଦୁଷ୍କର୍ମ କରୁଛି, କୃଷକଙ୍କ ହତ୍ୟା କରୁଛନ୍ତି ସେମାନେ ଜେଲ୍ ବାହାରେ ଅଛନ୍ତି ଏବଂ ଯିଏ ଘଟଣାର ପ୍ରତିବାଦ କରୁଛି ତାକୁ ଜେଲରେ ଭର୍ତ୍ତି କରାଯାଉଛି ।

ଲକ୍ଷ୍ମୀପୁର ଖିରି ହିଂସା ପୀଡିତ ପରିବାରଙ୍କୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା । ଆଜି ପୁଣି ରାହୁଲ ଲକ୍ଷ୍ମୀପୁର ଖିରି ଯିବାର କାର୍ଯ୍ୟକ୍ରମ ରହିଛି । ହେଲେ ଅଞ୍ଚଳରେ ୧୪୪ ଧାରା ଲାଗୁ ହେବା କାରଣରୁ ଉତ୍ତର ପ୍ରଦେଶ ସରକାର ରାଜନୈତିକଙ୍କ ଗସ୍ତକୁ ଅନୁମତି ଦେଉ ନାହାନ୍ତି । ଲଖନଉ ପୋଲିସ କମିଶନର ଡିକେ ଠାକୁର କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଏହି ଗସ୍ତ ପାଇଁ ଅନୁମତି ଦିଆଯାଇ ନାହିଁ ।

ଏହି ପ୍ରସଙ୍ଗରେ ରାହୁଲ କହିଛନ୍ତି, ଆମେ ତିନି ଜଣ ଲୋକ ହିଁ ଯାଉଛୁ । ଧାରା ୧୪୪ ଲାଗୁ କରାଯାଇଛି । ଯେବେ ୪ କିମ୍ବା ସେଥିରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୁଅନ୍ତି ସେହି କ୍ଷେତ୍ରରେ ଧାରା ୧୪୪ ଲାଗୁ ହୁଏ । କିନ୍ତୁ ଏହି ସରକାରରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ପୀଡିତ ପରିବାରଙ୍କୁ ଭେଟିବାକୁ ଦିଆଯାଉ ନାହିଁ । ଏଥିସହ ଅଭିଯୁକ୍ତ ବାହାରେ ବୁଲିବା ଏକ ସାଧାରଣ କଥା ପାଲଟି ଗଲାଣି ବୋଲି ରାହୁଲ କହିଛନ୍ତି ।

Get real time updates directly on you device, subscribe now.