ମଦ ପିଇବାକୁ ଟଙ୍କା ଦେଲାନି ବାପା, କୁରାଢ଼ିରେ ହାଣି ବାପାର ଜୀବନ ନେଲା ପୁଅ

୧୫୦ ଟଙ୍କା ପାଇଁ ବାପାଙ୍କୁ ହତ୍ୟା

ଉତ୍ତରପ୍ରଦେଶ: ସାମାନ୍ୟ କେଇଟା ଟଙ୍କା ପାଇଁ ବୁଢ଼ା ବାପାର ଜୀବନ ନେଇଗଲା ପୁଅ। ଉତ୍ତର ପ୍ରଦେଶର ବାଣ୍ଡାରେ ଜଣେ ପୁଅ ମାତ୍ର ୧୫୦ ଟଙ୍କା ପାଇଁ ତାଙ୍କ ବାପାଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ପୁଅ ମଦ ପିଇବା ପାଇଁ ଟଙ୍କା ମାଗୁଥିଲା ଏବଂ ଟଙ୍କା ନପାଇବାରୁ ସେ ତାଙ୍କ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।

କୁମ୍ଭାରି ଗାଁର ଗୋଟିଏ ପରିବାରରେ ପୁଅକୁ ଡ୍ରଗ୍ସ ପାଇଁ ଟଙ୍କା ଦରକାର ଥିଲା। ଯେତେବେଳେ ତା ବାପା ତାକୁ ଟଙ୍କା ନଦେଲେ ସେ ଧୀରେ ଧୀରେ ଘରର ସବୁ ଜିନିଷପତ୍ର ବିକ୍ରି କରିବାକୁ ଲାଗିଲା। କେବଳ ସେତିକି ନୁହେଁ, ସେ ଘରର ସମସ୍ତ ଜମି ମାଫିଆଙ୍କ ପାଖରେ ବନ୍ଧକ ମଧ୍ୟ ରଖିଲା ଆଉ ଟଙ୍କା ଆଣି ଡ୍ରଗ୍ସ ଖାଇଲା। କିନ୍ତୁ ଗତକାଲି ରାତିରେ ସେ ମଦ ପାଇଁ ତାଙ୍କ ବାପାଙ୍କଠାରୁ ୧୫୦ ଟଙ୍କା ମାଗୁଥିଲା। ଟଙ୍କା ନ ପାଇବାରୁ ସେ ତାଙ୍କ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା।

ବାପା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗ୍ରାମୀଣ ଜିଲ୍ଲା ହସ୍ପିଟାଲର ଟ୍ରମା ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣ୍ଡା ପୋଲିସ ଘଟଣାର ତଦନ୍ତ କରି ପୁଅକୁ ଗିରଫ କରି ପଚରାଉଚରା କରିଥିଲା। ଯେଉଁଥିରେ ପୁଅ ସ୍ୱୀକାର କରିଛି ଯେ ସେ ମାତ୍ର ୧୫୦ ଟଙ୍କା ପାଇଁ ତା ବାପାଙ୍କୁ ହତ୍ୟା କରିଛି।