fbpx

(Video) ବିଶ୍ୱକପରେ ପ୍ରଥମ ୱିକେଟ ନେଲେ କିଙ୍ଗ କୋହଲି: ଖୁସିରେ ନାଚି ଉଠିଲେ ପତ୍ନୀ ଅନୁଷ୍କା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ନେଦରଲାଣ୍ଡକୁ ୧୬୦ ରନରେ ମାତ୍ ଦେଇ ଲିଗ୍ ଷ୍ଟେଜରେ ୯ଟି ମ୍ୟାଚରୁ ୯ଟି ବିଜୟ ହୋଇ ରେକର୍ଡ ସୃଷ୍ଟି କରିଛି ଭାରତୀୟ ଦଳ । ଅପରାଜେୟ ଦଳ ଭାବରେ ସେମି ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନେଦରଲାଣ୍ଡ ବିପକ୍ଷରେ ନେଇଛନ୍ତି ଅଦ୍ଭୁତ ନିଷ୍ପତ୍ତି । କିଙ୍ଗ କୋହଲି, ଶୁଭମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ନିଜେ ମଧ୍ୟ ବୋଲିଂର ଜଲୱା ଦେଖାଇଛନ୍ତି । ତେବେ ଏହି ମ୍ୟାଚରେ ବିରାଟ ଏବଂ ରୋହିତ ନିଜର ପ୍ରଥମ ବିଶ୍ୱକପ ୱିକେଟ ହାସଲ କରିଛନ୍ତି ।

ଏକ କ୍ୟାଚ ଧରିବା ସମୟରେ ଷ୍ଟାର ବୋଲର ମହମ୍ମଦ ସିରାଜ ଆହତ ହେବା ଫଳରେ ବିରାଟ କୋହଲିଙ୍କ ବୋଲିଂ ଦାୟିତ୍ୱ ଦେଇଥିଲେ ଅଧିନାୟକ ରୋହିତ । ତେବେ କୋହଲି ମଧ୍ୟ ରୋହିତଙ୍କୁ ନିରାଶ କରି ନାହାନ୍ତି । ୨୫ତମ ଓଭରର ତୃତୀୟ ବଲରେ ନେଦରଲାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସଙ୍କୁ କିପର ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଛନ୍ତି ବିରାଟ । ଏଥିସହିତ ସେ କ୍ୟାରିୟରର ପଞ୍ଚମ ଏବଂ ବିଶ୍ୱକପରେ ପ୍ରଥମ ୱିକେଟ ନିଜ ନାମରେ କରିଛନ୍ତି । ବିରାଟଙ୍କୁ ବୋଲିଂରେ ସଫଳତା ପାଇବା ଦେଖି ଷ୍ଟାଡିୟମରେ ନାଚି ଉଠିଥିଲେ ଶ୍ରୀମତୀ କୋହଲି ଔରଫ ଅନୁଷ୍କା ଶର୍ମା । ଏହି ମୁହୂର୍ତ୍ତର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନୁଷ୍କାଙ୍କ ସମେତ ବିରାଟ ଫ୍ୟାନ୍ସମାନେ ମଧ୍ୟ ବିରାଟଙ୍କ ଏହି ଜଲୱା ଦେଖି ଖୁସିରେ ନାଚି ଉଠିଥିଲେ । ବ୍ୟାଟିଂରେ ଅର୍ଦ୍ଧଶତକ ଏବଂ ପରେ ବୋଲିଂରେ ୱିକେଟ ନେଇ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ବିରାଟ କୋହଲି ।

ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡୱାର୍ଡସ ବିରାଟଙ୍କ କ୍ୟାରିୟରର ପଞ୍ଚମ ଶିକାର ପାଲଟିଛନ୍ତି । ତେବେ ୯ ବର୍ଷ ପରେ ଦିନିକିଆରେ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି କିଙ୍ଗ କୋହଲି । ଏହାପୂର୍ବରୁ ୨୦୧୪ ମସିହାରେ ବିରାଟ ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମ୍ୟାକୁଲମଙ୍କ ୱିକେଟ ହାସଲ କରିଥିଲେ । ତେବେ ଦିନିକିଆ ଇତିହାସରେ ବିରାଟଙ୍କ ପ୍ରଥମ ଶିକାର ହୋଇଥିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍ । ଏହାବ୍ୟତୀତ ଇଂଲଣ୍ଡର କ୍ରେଗ୍ କିସ୍ୱେଟର ଏବଂ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍ ଙ୍କୁ ମଧ୍ୟ ପାଭିଲିୟନର ରାସ୍ତା ଦେଖାଇ ସାରିଛନ୍ତି ବିରାଟ କୋହଲି ।

Get real time updates directly on you device, subscribe now.