fbpx

ବାପାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ଝିଅ, ରାଜା ହୋଇ ପାଳୁଛନ୍ତି ଦେବନୀତି

ଗଞ୍ଜାମ: ସାଂସ୍କୃତିକ ରୀତିନୀତି ଓ ପ୍ରଥା ପରମ୍ପରାରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟ । ଏହାର ବିଭିନ୍ନ ଜିଲ୍ଲାରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ଅନ୍ୟତମ । ଗଞ୍ଜାମ ଜିଲ୍ଲାର ୧୪ଟି ଗଡଜାତ ମଧ୍ୟରୁ ଧରାକୋଟ ଗଡ଼ରେ ରହିଛି ଭିନ୍ନ ଏକ ପରମ୍ପରା । ଏଠାରେ ରାଜା ବେଶରେ ଯୁବତୀ ମହିଳା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରଥ ଉପରେ କରିଥାନ୍ତି ଛେରା ପହଁରା ।

ଧରାକୋଟ ଗଡ଼ରେ ଥିବା ପରମ୍ପରାର ଅନ୍ୟ ଏକ ବିଶେଷତ୍ୱ ହେଲା ଏଠାରେ ବାହୁଡ଼ା ପରଦିନ ତଥା ଏକାଦଶୀ ଦିନ ରଥଟଣା ହୋଇଥାଏ । ପରମ୍ପରା ସହ ରାଜାଙ୍କୁ ଦର୍ଶନ କରିବା ପାଇଁ କାଇଁ କେତେ ଦୁରରୁ ଲୋକେ ଆସିଥାନ୍ତି । ଧରାକୋଟ ଗଡ଼ରେ ଆଦ୍ୟସେବକ ଭାବରେ ଗୀତୀଞ୍ଜଳି ଦେବୀଙ୍କ ଠାକୁର ସେବା କାର୍ଯ୍ୟ ଭିନ୍ନ ଓ ସ୍ୱତନ୍ତ୍ର । ଖାସ୍ କରି ରଥଯାତ୍ରା ଓ ବାହୁଡ଼ା ସମୟରେ ରାଜା ରାଜକୀୟ ଠାଣି ସହିତ ମନ୍ତ୍ରୀ, କଟୁଆଳ, ସେନାପତି ମାନଙ୍କ ସହିତ ରୁପା ପାଲିଙ୍କିରେ ଯାଇ ରଥ ଉପରେ  ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ।

ବିଗତ ୨ ବର୍ଷ ହେବ ମହାମାରୀ କରୋନା କାରଣରୁ ଏହି ରଥଯାତ୍ରା ପର୍ବ ପାଳନ ହେଉନଥିବା ବେଳେ ଚଳିତ ଥର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ରାଜ୍ୟ ତଥା ରାଜ୍ୟ ବାହାରେ ଗୁଣ୍ଡିଚା ଓ ବାହୁଡ଼ା ହୋଇଥାଏ । କିନ୍ତୁ ଧରାକୋଟ ଗଡ଼ରେ ଏହା ବାହୁଡ଼ା ପରଦିନ ହୋଇଥାଏ । ଏହି ଦୁଇ ଦିନ ଧରାକୋଟର ଯୁବତୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଦେବନୀତି କରିଥାନ୍ତି ।

ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ । ତେଣୁ ତାଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ଝିଅ ସୁଲକ୍ଷଣା ଗୀତାଞ୍ଜଳି ୧୪ ବର୍ଷ ବୟସରେ ରାଜ୍ୟାଭିଷେକ ହୋଇ ଦେବନୀତି ତୁଲାଇ ଆସୁଛନ୍ତି ।

 

Get real time updates directly on you device, subscribe now.