fbpx

ଭାରତର ୩୪୫ ରନ ପରେ କିଓ୍ଵି ଓପନରଙ୍କ ଦୃଢ ଜବାବ, ଦ୍ଵିତୀୟ ଦିନରେ ନ୍ୟୁଜିଲାଣ୍ଡ ୧୨୯/୦

କାନପୁର: ପଦାର୍ପଣ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟରଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୩୪୫ ରନ କରିଥିବା ଭାରତକୁ କିଓ୍ଵି ଓପନର ଦୃଢ ଜବାବ ଦେଇଛନ୍ତି। ଟମ୍ ଲାଥମ ଓ ଓ୍ଵିଲ୍ ୟଙ୍ଗଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଓ୍ଵିକେଟ୍ ନହରାଇ ୧୨୯ ରନ କରିଛି। ଓ୍ଵିଲ ୟଙ୍ଗ (୭୫) ଏବଂ ଟମ୍ ଲାଥମ (୫୦) କ୍ରିଜରେ ଅପରାଜିତ ଅଛନ୍ତି। ଏବେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତଠୁ ୨୧୬ ରନରେ ପଛରେ ରହିଛି। କିନ୍ତୁ ଦୁଇ ଓପନରଙ୍କ ଦମଦାର ବ୍ୟାଟିଂ ବଳରେ କାନପୁର ଟେଷ୍ଟରେ ନିଜର ସ୍ଥିତି ଦୃଢ କରି ପାରିଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ। ଏହା ପୂର୍ବରୁ ଭାରତ ଦ୍ଵିତୀୟ ଦିନରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୩୪୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଶ୍ରେୟସ ଆୟର ୧୦୫ ରନ କରିଥିବା ବେଳେ ଶୁଭମାନ ଗିଲ୍ ୫୨ ଏବଂ ରବୀନ୍ଦ୍ର ଜାଡେଜା ୫୦ ରନ କରିଥିଲେ।
ଭାରତର ୩୪୫ ରନ ଜବାବରେ ନ୍ୟୁଜିଲାଣ୍ଡ ଦୁଇ ଓପନର ଓ୍ଵିଲ ୟଙ୍ଗ ଓ ଟମ୍ ଲାଥମଙ୍କ ଦମଦାର ବ୍ୟାଟିଂ ବଳରେ ପ୍ରଥମ ଦିନରେ କୌଣସି ଓ୍ଵିକେଟ୍ ହରାଇ ନାହିଁ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନାହାନ୍ତି। ଏହି କ୍ରମରେ ଓ୍ଵିଲ ୟଙ୍ଗ ଦମଦାର ବ୍ୟାଟିଂ କରି ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନର ଶେଷ ଆଡକୁ ଟମ୍ ଲାଥମ ୨୦ତମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନରେ ସଂପୂର୍ଣ୍ଣ ଓଭର ଖେଳାଯାଇ ପାରିନାହିଁ। ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ୍ ନହରାଇ ୧୨୯ ରନ କରିଛି। ଲାଥମ ୫୦ ଏବଂ ୟଙ୍ଗ ୭୫ ରନ କରି ଅପରାଜିତ ଅଛନ୍ତି।
ଏହା ପୂର୍ବରୁ ଭାରତ ପ୍ରଥମ ଦିନର ସ୍କୋର ୨୫୮/୪ରୁ ଖେଳ ଆରମ୍ଭ କରିଥିଲା। ୫୦ ରନ କରି ଖେଳୁଥିବା ଜାଡେଜା ଦିନର ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅନ୍ୟପଟେ ଶ୍ରେୟସ ଆୟର କ୍ରିଜରେ ଜମି ରହି ଦମଦାର ବ୍ୟାଟିଂ ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ। ରିଦ୍ଧିମାନ ଶାହା(୧) ପାଭିଲିୟନ ଫେରିଥିଲେ। ସପ୍ତମ ଖେଳାଳି ଭାବେ ଶ୍ରେୟସ ୧୭୧ ବଲରୁ ୧୩ ଚୌକା ଓ ୨ ଛକା ସହ ୧୦୫ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ରବିଚନ୍ଦ୍ରନ ଅଶ୍ଵିନ ୫୬ ବଲରୁ ୩୮ ରନର ଉପଯୋଗୀ ଇନିଂସ ଖେଳିବାରୁ ଭାରତ ୩୦୦ରୁ ଉର୍ଦ୍ଧ୍ଵ ରନ କରି ପାରିଛି। ଅକ୍ଷର ପଟେଲ(୩), ଇଶାନ୍ତ ଶର୍ମା (୦) ରନ କରିଥିବା ବେଳେ ଉମେଶ ଯାଦବ ୧୦ ରନରେ ଅପରାଜିତ ଥିଲେ। ଶେଷରେ ଭାରତର ପ୍ରଥମ ଇନିଂସ ୩୪୫ ରନରେ ସୀମିତ ରହିଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୬୯ ରନ ଦେଇ ୫ ସଫଳତା ହାସଲ କରିଛନ୍ତି। କାଇଲ ଜେମିସନ ୯୧ ରନ ଦେଇ ୩ ଏବଂ ଏଜାଜ ପଟେଲ୍ ୯୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Get real time updates directly on you device, subscribe now.