fbpx

Records Alert! ଅଧିନାୟକ ରୋହିତଙ୍କୁ ପଛରେ ପକାଇଦେଲେ କେ.ଏଲ ରାହୁଲ: ଶତକ ହାସଲରେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟର କେ.ଏଲ ରାହୁଲଙ୍କ ବିସ୍ଫୋରକ ଶତକ ହାସଲ କରିଥିବା ବେଳେ ନେଦରଲାଣ୍ଡକୁ ୪୧୧ ରନର ଏକ ବିଶାଳ ଲକ୍ଷ୍ୟ ଦେଇଛି ଭାରତ । ଅଧିନାୟକ ରୋହିତ, ଶୁଭମନ ଗିଲ୍ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ଶ୍ରେୟସ ଏବଂ ରାହୁଲ ଦମଦାର ଶତକ ଅର୍ଜନ ଏହି ବିଶାଳ ସ୍କୋର ଠିଆ କରିଛନ୍ତି । ତେବେ ରାହୁଲ ଏହି ଶତକୀୟ ଇନିଂସରେ ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ତାଲିକାରେ ଅଧିନାୟକ ରୋହିତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି କେ.ଏଲ ରାହୁଲ ।

ନେଦରଲାଣ୍ଡ ବିପକ୍ଷ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ କ୍ୟାରିୟରର ସପ୍ତମ ଦିନିକିଆ ଶତକ ହାସଲ କରିଛନ୍ତି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ । ଏହି ବିସ୍ଫୋରକ ଶତକ ସହିତ ରାହୁଲ ଏକ ଇତିହାସ ମଧ୍ୟ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ ମାତ୍ର ୬୨ ବଲରେ ଏକ ଧୂଆଁଦାର ଶତକ ହାସଲ କରିଛନ୍ତି ରାହୁଲ । ଏହି ଶତକ ସହିତ ରାହୁଲ ଅଧିନାୟକ ରୋହିତ ଶର୍ମାଙ୍କ ଐତିହାସିକ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରାହୁଲ ଦିନିକିଆ ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିବା ତାଲିକାରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ରାହୁଲଙ୍କ ପୂର୍ବରୁ ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ୬୩ ବଲରେ ଶତକ ହାସଲ କରି ଶୀର୍ଷ ସ୍ଥାନରେ ରହିଥିଲେ ଅଧିନାୟକ ରୋହିତ । କିନ୍ତୁ ବର୍ତ୍ତମାନ ରାହୁଲ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ।

ନେଦରଲାଣ୍ଡ ବିପକ୍ଷରେ ଏହି ଶତକ ସହ ରାହୁଲ ସବୁଠାରୁ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ଖେଳାଳି ପାଲଟିଛନ୍ତି । ଏହି ମ୍ୟାଚରେ ମାତ୍ର ୬୪ ବଲରୁ ୧୧ଟି ଚୌକା ଏବଂ ୪ଟି ଛକା ସହ ୧୦୨ ରନର ଏକ ବିସ୍ଫୋରକ ପାଳି ଖେଳିଛନ୍ତି ରାହୁଲ । ଏହାପରେ ଦ୍ୱିତୀୟ ସ୍ଥାନରେ ଆଫଗାନିସ୍ତାନ ବିପକ୍ଷରେ ଅଧିନାୟକ ରୋହିତଙ୍କ ଶତକ ସାମିଲ ରହିଛି । ଏହି ମ୍ୟାଚରେ ରୋହିତ ମାତ୍ର ୬୩ ବଲରେ ଶତକ ଅର୍ଜନ କରିଥିଲେ । ତେବେ ତୃତୀୟ ସ୍ଥାନରେ ୨୦୦୭ ମସିହାରେ ବରମୁଣ୍ଡା ବିପକ୍ଷରେ ୮୧ ବଲରୁ ଶତକ ଅର୍ଜନ କରିଥିଲେ ବିରେନ୍ଦ୍ର ସେହୱାଗ । ଏହାସହିତ ୨୦୧୧ ବିଶ୍ୱକପରେ କିଙ୍ଗ କୋହଲିଙ୍କ ବାଂଲାଦେଶ ବିପକ୍ଷ ୮୨ ବଲରୁ ଶତକୀୟ ପାଳି ତାଲିକାର ଚତୁର୍ଥ ସ୍ଥାନରେ ସ୍ଥାନ ପାଇଛି ।

Get real time updates directly on you device, subscribe now.