ଅନୁଷ୍କାଙ୍କ ସ୍ୱାମୀ ‘ବିରାଟ’ କେତେ ସଂପତ୍ତିର ମାଲିକ? ଜାଣନ୍ତୁ କିଙ୍ଗ କୋହଲିଙ୍କ ରୋଜଗାରର ଉତ୍ସ ବିଷୟରେ..

ନୂଆଦିଲ୍ଲୀ: ଆଜି ଅର୍ଥାତ ୫ ନଭେମ୍ବର ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ । ଏହି ଖାସ ଅବସରରେ କିଙ୍ଗ କୋହଲିଙ୍କ ଫ୍ୟାନ୍ସ ତାଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆଠାରୁ ବଜାର ପର୍ଯ୍ୟନ୍ତ ଆଜି ସବୁଆଡେ କୋହଲିଙ୍କ ଜନ୍ମଦିନର ଚର୍ଚ୍ଚା। ତେବେ ଏପରି ଲୋକେ ଅଛନ୍ତି ଯେଉଁମାନେ ବିରାଟ କୋହଲିଙ୍କ ବିରାଟ ସଂପତ୍ତି ବିଷୟରେ ଜାଣିବାକୁ ଚାହାନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କୋହଲି କେତେ ସଂପତ୍ତିର ମାଲିକ..

କେତେ ସଂପତ୍ତି: ଭାରତୀୟ ଟିମର ସବୁଠୁ ବଡ଼ ଏବଂ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ସାରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଧନୀ କ୍ରିକେଟରଙ୍କ ନାମରେ ଜଣାଶୁଣା । ତେବେ ରିପୋର୍ଟ ମୁତାବକ, କିଙ୍ଗ କୋହଲିଙ୍କ ପାଖରେ ୧୦୫୦ କୋଟି ଟଙ୍କାର ସଂପତ୍ତି ଅଛି । ଏତିକି ନୁହେଁ ବରଂ ଚଳିତ ବର୍ଷ ୨୦୨୪ରେ ବିରାଟଙ୍କ ନାମରେ ‘ସବୁଠୁ ଧନୀ ଭାରତୀୟ କ୍ରିକେଟର’ର ଟ୍ୟାଗ ମଧ୍ୟ ଥିଲା, ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ସେହି ଟ୍ୟାଗକୁ ବର୍ତ୍ତମାନ ନିଜ ନାମରେ କରିଛନ୍ତି।

କ୍ରିକେଟରୁ ଏତିକି ରୋଜଗାର କରନ୍ତି ବିରାଟ: ବିରାଟ କୋହଲିଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି କ୍ରିକେଟ । ବିରାଟ ଭାରତ ପାଇଁ ତିନୋଟି ଫର୍ମାଟରେ ଖେଳନ୍ତି, ସେଥିରୁ ଗୋଟିଏ ଟେଷ୍ଟ ପାଇଁ ୧୫ ଲକ୍ଷ, ୱାନ ଡେ’ ପାଇଁ ୬ ଲକ୍ଷ ଏବଂ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହା ବ୍ୟତୀତ ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟରୁ ବିରାଟଙ୍କୁ ୭ କୋଟି ଟଙ୍କା ମିଳିଥାଏ ।

ବିରାଟଙ୍କ ଘର ଏବଂ କାର କଲେକ୍ସନ: ବିରାଟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ଅନେକ ଟଙ୍କା ରୋଜଗାର କରିଥାଆନ୍ତି । ମୁମ୍ବାଇରେ ମଧ୍ୟ ବିରାଟଙ୍କ ୩୪ କୋଟି ଟଙ୍କାର ଏକ ରାଜକୀୟ ଘର ଅଛି । ଏହା ବ୍ୟତୀତ ଗୁରୁଗ୍ରାମରେ ତାଙ୍କର ୧୦୦ କୋଟି ଟଙ୍କାରୁ ଅଧିକ ସଂପତ୍ତି ରହିଛି । ସେ ଅନେକ କମ୍ପାନୀରେ ମଧ୍ୟ ନିବେଶ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡର ବିଜ୍ଞାପନ ମାଧ୍ୟମରେ ରୋଜଗାର କରନ୍ତି । ରିପୋର୍ଟ ମୁତାବକ, ବିରାଟଙ୍କ ପାଖେ Audi RS5, Land Rover Vogue, Audi Q7, Audi R8 LMX ଭଳି ଲଗଜରୀ କାର ଅଛି।