ନୂଆଦିଲ୍ଲୀ: ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି ସୁନାର ମୂଲ୍ୟ । ଭାରତରେ ପର୍ବପର୍ବାଣୀ ସମୟରେ ସୁନାଗହଣା କିଣିବା ପ୍ରଥାକୁ ଶୁଭ ବୋଲି କୁହାଯାଏ । ଲୋକମାନେ ଗହଣାଠୁ ଆରମ୍ଭ କରି ସ୍ୱର୍ଣ୍ଣମୁଦ୍ରା ପର୍ଯ୍ୟନ୍ତ ନିଜ ଘରେ ରଖିବାକୁ ପସନ୍ଦ କରିଥାନ୍ତି । ତେବେ ପ୍ରାୟ ଅନେକଲୋକ ଏହା ଜାଣି ନଥିବେ ଯେ, ନିଜ ଘରେ ସୁନା ରଖିବା ପାଇଁ ମଧ୍ୟ ସରକାରଙ୍କର ଅନୁମତି ଆବଶ୍ୟକ । ଏଥିପାଇଁ ସରକାରଙ୍କ କିଛି ନିୟମ ରହିଛି । ଜଣେ ବ୍ୟକ୍ତି କିଛି ସୀମିତ ପରିମାଣର ସୁନା ଘରେ ରକିପାରିବେ । ଚାଲନ୍ତୁ ଜାଣିବା ସରକାରଙ୍କ ଏହି ନିୟମ ।
ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସ(ସିବିଡିଟି) ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଆୟ ପ୍ରକାଶ କରିଛନ୍ତି, ତେବେ ତାହା ଟିକସ ଅଧୀନରେ ରହିବ ନାହିଁ । ସେହିପରି କୃଷି ଆୟ ପରି ଛାଡ କରିଥିବା ବ୍ୟକ୍ତି କିମ୍ବା ଯୋଗ୍ୟ ଘରୋଇ ସଞ୍ଚୟ କିମ୍ବା ଆଇନଗତ ଉତ୍ତରାଧିକାରୀ ଆୟରୁ ସୁନା କିଣିଥିବା ବ୍ୟକ୍ତି ମଧ୍ୟ ଟିକସ ଅଧୀନ ହୋଇପାରିବେ ନାହିଁ । ଏହାବ୍ୟତୀତ ଯଦି ଏକ ସୀମିତ ପରିମାଣ ମଧ୍ୟରେ ସୁନାଗହଣା ଘରେ ରହିଥାଏ, ତେବେ ସର୍ଚ୍ଚ ଅପରେସନ ସମୟରେ ଅଧିକାରୀମାନେ ଘରୁ ସୁନା ଅଳଙ୍କାର ଜବତ କରିପାରିବେ ନାହିଁ ବୋଲି ନିୟମ ରହିଛି । ସରକାରଙ୍କ ନିୟମ ଅନୁଯାୟୀ, ଜଣେ ବିବାହିତା ମହିଳା ସର୍ବାଧିକ ୫୦୦ ଗ୍ରାମର ସୁନା ନିଜ ପାଖରେ ରଖିପାରିବେ । ସେହିପରି ଅବିବାହିତ ମହିଳାଙ୍କ ପାଇଁ ଏହି ସୀମା ୨୫୦ ଗ୍ରାମ ରହିଥିବା ବେଳେ ପରିବାରର ପୁରୁଷମାନଙ୍କ ନିକଟରେ ୧୦୦ ଗ୍ରାମରୁ ଅଧିକ ସୁନା ରହିପାରିବ ନାହିଁ ।
ସରକାରୀ ନିୟମରେ କୁହାଯାଇଛି ଯେ, ଏହାବ୍ୟତୀତ ଜଣେ ବ୍ୟକ୍ତି ଯେକୌଣସି ପରିମାଣରେ ଆଇନଗତ ଭାବରେ ଅଳଙ୍କାର ରଖିପାରିବେ । ଏହା ସମ୍ପୂର୍ଣ୍ଣ ନିରାପଦ ହୋଇଥାଏ । ଅର୍ଥାତ୍ ଘରେ ସୁନା ଅଳଙ୍କାର ରଖିବାର କୌଣସି ସୀମା ଧାର୍ଯ୍ୟ ହୋଇନାହିଁ । ତେବେ ଏ ସମସ୍ତ ଅଳଙ୍କାର ଆୟର ସ୍ପଷ୍ଟ ଉତ୍ସ ମାଧ୍ୟମରେ କିଣାଯାଇଥିବା ଆବଶ୍ୟକ । କିନ୍ତୁ ଯଦି ଆୟରୁ ସୁନାଗହଣାର ପରିମାଣ ଅଦିକ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀ ବୋଲି ଘୋଷଣା କରାଯାଇପାରେ । ଏହାବ୍ୟତୀତ ସମସ୍ତ ସୁନା ଅଳଙ୍କାରକୁ ଜବତ କରିପାରନ୍ତି ପୋଲିସ କିମ୍ବା ଭିଜିଲାନ୍ସ ବିଭାଗର ଅଧିକାରୀ ।