fbpx

ଜାମ୍ମୁ କାଶ୍ମୀରରେ କଂଗ୍ରେସ- NC ମେଣ୍ଟ ସରକାର, ଜାଣନ୍ତୁ ସଫଳତା ପଛର ୫ଟି କାରଣ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୨୦୧୯ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ଜାମ୍ମୁ କାଶ୍ମୀରର ୯୦ଟି ବିଧାନସଭା ଅସନ ପାଇଁ ଭୋଟ ଗଣତି ହୋଇଥିଲା । ତେବେ ଏକଜିଟ୍ ପୋଲର ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଜାମ୍ମୁ କାଶ୍ମୀରରେ ଅନ୍ୟ ଦଳକୁ ପଛରେ ପକାଇ କଂଗ୍ରେସ- NC ମେଣ୍ଟ ବିଜୟୀ ହୋଇଛି । ତେବେ ଏହି ବିଜୟ ପଛରେ ୫ଟି କାରଣ ରହିଛି ।

୧. ରଣନୀତିକ ନିର୍ବାଚନ ପୂର୍ବ ମେଣ୍ଟ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବଡ଼ ଶକ୍ତି ଭାବେ ଉଭା ହେବା ନେଇ ସମ୍ଭାବନା ରହିଥିଲା । ତେଣୁ କଂଗ୍ରେସ- NC ମେଣ୍ଟ ସେମାନଙ୍କ ଭୋଟ ମଜବୁତ କରିବା ନେଇ ରଣନୀତି ପ୍ରସ୍ତୁତ କରିବା ସହ ବିଜେପି ବିରୋଧରେ ଏକ ଦୃଢ଼ ବିକଳ୍ପ ଉପସ୍ଥାପନା କରିଥିଲେ । କଂଗ୍ରେସ ଏବଂ NC ନିର୍ବାଚନ ପୂର୍ବରୁ ଆସନ ଭାଗବଣ୍ଟା ସ୍ପଷ୍ଟ କରିଥିଲେ । ଏଥିରେ NC ୫୧ଟି ଆସନ ଏବଂ କଂଗ୍ରେସ ୩୨ଟି ଆସନରେ ନିର୍ବାଚନ ଲଢ଼ିଥିଲା । ଅନ୍ୟ ୫ଟି ଆସନରେ ‘ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା’ ହୋଇଥିଲା । ଏହି ସହଯୋଗିତାର ଉଦ୍ଦେଶ୍ୟ ଥିଲା ବିଜେପି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଦଳ ବିରୋଧରେ ଭୋଟ୍ ଏକତ୍ର କରିବା ।

୨. ବିଜେପି ବିରୋଧରେ ଜନତାର ଭାବନା: ବିଶେଷ କରି ଜାମ୍ମୁକୁ ବାଦ ଦେଲେ କାଶ୍ମୀର ଓ ଅନ୍ୟାନ୍ୟ ଅଞ୍ଚଳରେ ଜନସାଧାରଣଙ୍କ ଭାବନା ବିଜେପି ବିରୋଧୀ ଥିଲା । ବିଜେପି ନିର୍ବାଚନରେ ଧାରା ୩୭୦ ରଦ୍ଦ ହେବା ଏବଂ କାଶ୍ମୀର ଆଉ ପୂର୍ବ ସ୍ଥିତିକୁ ଫେରିପାରିବ ନାହିଁ ଭଳି ପ୍ରସଙ୍ଗ ଉଠାଇଥିଲା । ଏହା କାଶ୍ମୀର ଅଞ୍ଚଳରେ କ୍ଷତି ଘଟାଇଥିଲା । ଏହା ପରେ ଲୋକଙ୍କ ମନରେ ଧାରଣା ଆସିଲା କି ବିଜେପି ସ୍ଥାନୀୟ ଅଞ୍ଚଳର ହିତ ବିଷୟରେ ଚିନ୍ତା କରେ ନାହିଁ । ଏହା କଂଗ୍ରେସ- NC ମେଣ୍ଟ ପାଇଁ ଲାଭବାନ ହୋଇଥିଲା ।

୩. ରାଜ୍ୟ ମାନ୍ୟତା ଦାବି ଉପରେ ଫୋକସ: କଂଗ୍ରେସ- NC ମେଣ୍ଟ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଉପରେ ଫୋକସ୍ କରିଥିଲା । ଏହା ବ୍ୟତୀତ ବିଜେପି ଦ୍ୱାରା ରାଜନୈତିକ ପରିବର୍ତ୍ତନ ଯୋଗୁଁ ଦେଖାଦେଇଥିବା ଅଭିଯୋଗକୁ ଦୂର କରିବା ନେଇ ଅଭିଯାନ ଚଲାଇଥିଲା ।

୪. ପ୍ରଭାବଶାଳୀ ଢ଼ଙ୍ଗରେ ପ୍ରଚାର କରିବା: ଜାମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ NC ପୁରୁଣା ଦଳ । ତେଣୁ ଭୋଟରମାନେ ସେମାନଙ୍କ କାର୍ଯ୍ୟ କରିବା ଶୈଳୀ ବିଷୟରେ ପରିଚିତ । ଅପରପକ୍ଷରେ କାଶ୍ମୀର ଅଞ୍ଚଳରେ ଓମାର ଅବଦୁଲ୍ଲାଙ୍କ ପରିବାରଙ୍କ ଭଲ ପ୍ରଭାବ ରହିଛି । ଗେଟିଏ ପଟେ NC ବିଜେପି ସହ ମେଣ୍ଟ କରିବାକୁ ନେଇ ‘ପିଡିପି’ର ବିଶ୍ୱାସଘାତକତା ଉପରେ ଜୋର ଦେଇଥିଲା ତ ଅନ୍ୟପଟେ କଂଗ୍ରେସ ସ୍ଥାନୀୟ ଶାସନ ପ୍ରସଙ୍ଗକୁ ପ୍ରାଥମିକତା ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା । ପ୍ରଚାର ସମୟରେ ମଧ୍ୟ କଂଗ୍ରେସ- NC ମେଣ୍ଟ ସମନ୍ୱୟ ଦେଖିବାକୁ ମିଳିଥିଲା ।

୫. ବିଜେପି ଶାସନକୁ ତୀବ୍ର ସମାଲୋଚନା: କଂଗ୍ରେସ- NC ମେଣ୍ଟ ଗତ ୫ ବର୍ଷରେ ବିଜେପି ଶାସନର କଡ଼ା ସମାଲୋଚନା କରିଥିଲେ । ଏହା ସେମାନଙ୍କ ଅଭିଯାନର ରଣନୀତି ଥିଲା । କଂଗ୍ରେସ- NC ମେଣ୍ଟ ପ୍ରଚାର ସମୟରେ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଅପରପକ୍ଷରେ ଓମାର ଅବଦୁଲ୍ଲା ବିଜେପିର ବିଫଳତାକୁ ଜନତାଙ୍କ ସାମ୍ନାରେ ଦର୍ଶାଇଥିଲେ । ବିଶେଷ କରି ରୋଜଗାର ଏବଂ ସରକାରରେ ମୁସଲମାନଙ୍କର ପ୍ରତିନିଧିତ୍ୱ ବିଷୟରେ ।

Get real time updates directly on you device, subscribe now.