fbpx

କିଏ ଏହି ତାଲିବାନି ନେତା ମୁଲ୍ଲା ବରାଦର, ଯାହାଙ୍କୁ କରାଯାଇପାରେ ଆଫଗାନିସ୍ତାନର ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ଯୁଗ । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନି ଓ ଉପ ରାଷ୍ଟ୍ରପତି ଅମିରୁଲ୍ଲାହ ଦେଶ ଛାଡି ଚାଲି ଯାଇଛନ୍ତି । ଏମିତିରେ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ତାଲିବାନ କାହାକୁ ନିଜର ନେତା କରିବ । ଏହି ପ୍ରଶ୍ନର ଉତ୍ତରରେ ଯେଉଁ ନାମ ଉପରେ ଅଧିକ ଚର୍ଚ୍ଚା ଜାରି ରହିଛି ସେ ହେଉଛନ୍ତି ମୁଲ୍ଲା ଅବଦୁଲ ଗନି ବରାଦର । କୁହାଯାଉଛି ବରାଦରଙ୍କୁ ଆଫଗାନିସ୍ତାନର ରାଷ୍ଟ୍ରପତି କରାଯାଇପାରେ ।

ଏହା ମଧ୍ୟରେ ତାଲିବାନ ଦ୍ୱାରା ସମ୍ଭାବିତ ରାଷ୍ଟ୍ରପତି ପ୍ରାର୍ଥୀ ବରାଦର କହିଛନ୍ତି, ପ୍ରକୃତ ପରୀକ୍ଷା ଏବେ ଲୋକଙ୍କ ଆଶା ପୂରା କରିବା । ସେମାନଙ୍କ ସମସ୍ୟାର ସମାଧାନ କରି ସେବା କରିବାକୁ ପଡିବ । ଆସନ୍ତୁ ଜାଣିବା କିଏ ଏହି ତାଲିବାନର ନେତା ମୁଲ୍ଲା ଅବଦୁଲ ଗନି ବରାଦର…

ତାଲିବାନ ଉଦୟର କାହାଣୀ ବରାଦରଙ୍କ ସହ ଜଡିତ

ମୁଲ୍ଲା ଅବଦୁଲ ଗନି ବରାଦର ସେହି ଚାରି ଲୋକଙ୍କ ମଧ୍ୟରୁ ଜଣେ ଯେଉଁମାନେ ୧୯୯୪ରେ ତାଲିବାନ ଗଠନ କରିଥିଲେ । ୨୦୦୧ରେ ଯେବେ ଆମେରିକା ନେତୃତ୍ୱରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରାଯାଇ ତାଲବାନକୁ କ୍ଷମତାରୁ ହଟାଗଲା ସେହି ସମୟରେ ମୁଲ୍ଲା ଅବଦୁଲ ଗନି ବରାଦର ନାଟୋ ସୈନ୍ୟ ବିରୋଧରେ ବିଦ୍ରୋହର ନେତୃତ୍ୱ ନେଇଥିଲେ । ପରେ ୨୦୧୦ ଫେବୃଆରୀରେ ତାଙ୍କୁ ଆମେରିକା ଓ ପାକିସ୍ତାନ ଏକ ମିଳିତ ଅଭିଯାନରେ କରାଚି ସହରରୁ ଗିରଫ କରିଥିଲେ । ମୁଲ୍ଲା ବରାଦର ପାକିସ୍ତାନ ଜେଲରେ ରହି ସେଠାରୁ ତାଲିବାନକୁ ମଜବୁତ କରିବାର ମୂଳ ଦୁଆ ପକାଇଥିଲେ । ମୁଲ୍ଲା ବରାଦରଙ୍କୁ ୨୦୧୦ରେ ଆଇଏସଆଇ କରାଚିରୁ ଗିରଫ କରିଥିଲା । ପରେ ୨୦୧୮ରେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା ।

ଆଫଗାନିସ୍ତାନ ସରକାର ମଧ୍ୟ ମୁକ୍ତ କରିବାକୁ କଲେ ଦାବି

ଆଶ୍ଚର୍ଯ୍ୟର କଥା ଆଫଗାନିସ୍ତାନ ସରକାର ଶାନ୍ତି ବାର୍ତ୍ତାକୁ ଆଗକୁ ନେବା ପାଇଁ ଯେଉଁ ବନ୍ଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲା, ସେହି ତାଲିକାରେ ବରାଦରଙ୍କ ନାମ ଉପରେ ଥିଲା । ୨୦୧୩ ସେପ୍ଟେମ୍ବରରେ ପାକିସ୍ତାନ ସରକାର ବରାଦରଙ୍କୁ ମୁକ୍ତ କରିଥିଲା । ମାତ୍ର କୁହାଯାଏ ଯେ, ଏହା ପରେ ବି ବରାଦର ପାକିସ୍ତାନରେ ରହିଥିଲେ ଏବଂ ତାଲିବାନକୁ ମଜବୁତ କରିବାରେ ଜୁଟି ଯାଇଥିଲେ । ମୁଲ୍ଲା ବରାଦର ତାଲିବାନର ନେତା ମୁଲ୍ଲା ମହମ୍ମଦ ଉମରଙ୍କ ସବୁଠୁ ଭରସାଯୋଗ୍ୟ ସିପାହୀ ଥିଲେ ।

ଆମେରିକାକୁ ବୁଝାଇବାରେ ବଡ ଭୂମିକା

କେବଳ ଏତିକି ନୁହେଁ ତାଲିବାନ ଓ ଆମେରିକା ମଧ୍ୟରେ ଯେବେ ୨୦୧୮ରେ ରାଜିନାମା ଆରମ୍ଭ ହେଲା ସେଥିରେ ବରାଦରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା କୁହାଯାଏ । ମୁଲ୍ଲା ବରାଦର ସର୍ବଦା ଆମେରିକା ସହ ବାର୍ତ୍ତାକୁ ସମର୍ଥନ କରି ଆସିଥିଲେ । ୧୯୯୪ରେ ତାଲିବାନ ଗଠନ ପରେ ସେ ଏକ କମାଣ୍ଡର ଓ ରଣନୈତିଜ୍ଞ ଭୂମିକା ଗ୍ରହଣ କରିଥିଲେ । ତାଲିବାନ ପାଇଁ ଫଣ୍ଡ ଓ ସମର୍ଥନ ଯୋଗାଡରେ ବରାଦରଙ୍କ ବଡ ଭୂମିକା ଥିବା କୁହାଯାଏ ।

ମୁଲ୍ଲା ଉମରଙ୍କ ସହ ଖାସ୍ ସଂପର୍କ

ତାଲିବାନର ପ୍ରଥମ ନେତା ମୁଲ୍ଲା ଉମରଙ୍କ ସହ ମଧ୍ୟ ବରାଦରଙ୍କ ଖାସ୍ ସଂପର୍କ ଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବରାଦରଙ୍କ ପତ୍ନୀ ମୁଲ୍ଲା ଉମରଙ୍କ ଭଉଣୀ ଅଟନ୍ତି । ତାଲିବାନର ସମସ୍ତ ଅର୍ଥ କାରବାରର ହିସାବ ସେ ରଖନ୍ତି । ତାଲିବାନର ଅନ୍ୟ ନେତାଙ୍କ ପରି ମୁଲ୍ଲା ବରାଦରଙ୍କ ଉପରେ ମିଳିତ ଜାତିସଂଘ ମଧ୍ୟ କଟକଣା ଲଗାଇଥିଲା । ମୁଲ୍ଲା ବରାଦରଙ୍କ ଜନ୍ମ ଉରୁଜଗାନ ପ୍ରାନ୍ତର ଦେହରାଉଡ ଜିଲ୍ଲାର ଭିଟମାକ ଗାଁରେ ୧୯୬୮ରେ ହୋଇଥିଲା ।

ସେନା କମାଣ୍ଡର ଥିଲେ ବରାଦର

୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନ ରାଜରେ ସେ ଅନେକ ପଦରେ ରହିଥିଲେ । ରବାଦର ହେରାତ ଓ ନିମରୁଜ ପ୍ରାନ୍ତର ଗଭର୍ଣ୍ଣର ଥିଲେ । ପଶ୍ଚିମ ଆଫଗାନିସ୍ତାନର ସେନାରେ କମାଣ୍ଡର ମଧ୍ୟ ଥିଲେ। ତାଲିବାନ ଶାସନରେ ବରାଦର ନିଜର କଠୋର ଆଭିମୁଖ୍ୟ କାରଣରୁ ପରିଚିତ ଥିଲେ । ଗଣତନ୍ତ୍ର, ମହିଳା, ଖୋଲା ବିଚାର ଓ ଉନ୍ନତ ଦେଶକୁ ନେଇ ତାଙ୍କର ବିଚାରଧାରା ଓ ଦୂରଦୃଷ୍ଟି ମୌଳବାଦୀଙ୍କ ପରି ରହିଛି ।

 

Get real time updates directly on you device, subscribe now.