fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ମମତା ସରକାର!, ଏହି ୩ଟି ପଦକ୍ଷେପ କହୁଛି…

କୋଲକାତା: ପଶ୍ଚିମବଙ୍ଗରେ କୋଲକାତା ଦୁଷ୍କର୍ମ ଘଟଣା ପରେ ଯେଉଁଭଳି ଭାବେ ବିକ୍ଷୋଭ ଓ ଆନ୍ଦୋଳନ ହୋଇଥିଲା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ମୁଣ୍ଡ ନୁଆଁଇଥିବା ଜଣାପଡିଛି। ବୁଧବାର (ଅଗଷ୍ଟ ୨୧, ୨୦୨୪) ଏହାର ତିନୋଟି ବଡ଼ ସଙ୍କେତ ସାମ୍ନାକୁ ଆସିଥିଲା, ଯାହା ସ୍ପଷ୍ଟ ଭାବରେ ସୂଚାଉଛି ଯେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ବର୍ତ୍ତମାନ ବ୍ୟାକ୍ଫୁଟରେ ଅଛନ୍ତି।

ଆନ୍ଦୋଳନରତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦାବିକୁ ଗ୍ରହଣ କରି ଟିଏମସି ସରକାର ବର୍ତ୍ତମାନର ଅଧ୍ୟକ୍ଷା ସୁହରିତା ପାଲ ଏବଂ ଏମଏସଭିପି ବୁଲବୁଲ ମୁଖାର୍ଜୀଙ୍କୁ ହଟାଇ ଦେଇଛନ୍ତି। ସରକାର ଚେଷ୍ଟ ମେଡିସିନ୍ ମୁଖ୍ୟ ଅରୁଣଭ ଦତ୍ତ ଚୌଧୁରୀଙ୍କୁ ମଧ୍ୟ ହଟାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟ ସଚିବ ଏନଏସ ନିଗମ କିଛି ସମୟ ପୂର୍ବରୁ ଆରଜିକେକୁ ବଦଳି ଘୋଷଣା କରିଥିଲେ।

ଆରଜି କର ହସ୍ପିଟାଲରେ ୧୫୦ ସିଆଇଏସଏଫ ଯବାନ ମୁତୟନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଲକାତାର ଆର କର ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାୟ ୧୫୦ ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଯବାନଙ୍କୁ ନିୟୋଜିତ କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋଲକାତାର ସରକାରୀ ଡାକ୍ତରଖାନାରେ ସିଆଇଏସଏଫ ମୁତୟନ ପାଇଁ ବଙ୍ଗଳାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲା, ଯାହା ପରେ ସିଆଇଏସଏଫ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

“ଟ୍ରେନି ଡାକ୍ତରଙ୍କ…”, ଆଇଟି ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ !

ଅନ୍ୟପକ୍ଷରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କ ନାମ, ଫଟୋ ଓ ଭିଡିଓ ହଟାଇବା ପାଇଁ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ଆଇଟି ମନ୍ତ୍ରଣାଳୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କହିଛି। ଆଇଟି ମନ୍ତ୍ରଣାଳୟ ଏଭଳି ସମସ୍ତ ପ୍ଲାଟଫର୍ମକୁ ମୃତକଙ୍କ ପରିଚୟକୁ ତୁରନ୍ତ ହଟାଇବାକୁ କହିଛି।

Get real time updates directly on you device, subscribe now.