ଭୟଙ୍କର ଏମାନଙ୍କ ସ୍ୱଭାବ, ଘଞ୍ଚ ଜଙ୍ଗଲରେ ରୁହନ୍ତି, ମଣିଷ ମାଂସ ଖାଆନ୍ତି

ଓଡିଶା ଭାସ୍କର: ମଣିଷର ଖାଦ୍ୟ ରୁଚି ସ୍ଥଳ ବିଶେଷରେ ଭିନ୍ନଭିନ୍ନ । ଆମ ଦେଶରେ କୁକୁଡା, ଛେଳି, ମାଛ ଓ କିଛି ସ୍ଥାନରେ ଗୋମାଂଶ ଭକ୍ଷଣ କରିବାକୁ ଲୋକମାନେ ପସନ୍ଦ କରନ୍ତି । ଚୀନ, ତାଇବାନ ଆଦି ଦେଶରେ ପୋକଜୋକ ଖାଇଥାନ୍ତି । କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଲୋକେ ମଣିଷ ମାଂସ ଖାଇବାକୁ ପସନ୍ଦ କରନ୍ତି । ଏମାନେ ଇଣ୍ଡୋନେସିଆରେ ବାସ କରନ୍ତି । ଏମାନେ ଏକ ଆଦିମ ଜନଜାତିର ସଦସ୍ୟ । ଏମାନଙ୍କ ଜନଜାତିକୁ କୋରୋବାଇ ଜନଜାତି କୁହାଯାଏ ।

ଇଣ୍ଡୋନେସିଆର ପାପୁଆ ପ୍ରାନ୍ତର ଜଙ୍ଗଲରେ ବାସକରନ୍ତି ଏହି କୋରୋବାଇ ଜନଜାତିର ଲୋକ । ଏମାନଙ୍କ ଜୀବନଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏମାନେ ନରଭକ୍ଷି ଜନଜାତି ରୂପେ ମଧ୍ୟ ଜଣାଶୁଣା । ଏମାନେ ଘଞ୍ଚ ଜଙ୍ଗଲମଧ୍ୟରେ ବସବାସ କରନ୍ତି । ପାରମ୍ପରିକ ଜୀବନ ଶୈଳୀ ଆପଣାଇଥାନ୍ତି । ଆଜି ମଧ୍ୟ ସେମାନେ ବିନା ପୋଷାକରେ ବିଚରଣ କରନ୍ତି । ସମ୍ପ୍ରଦାୟରେ ପୁରୁଷ ଓ ମହିଳା ଅଲଗା ଅଲଗା ଘରେ ରୁହନ୍ତି । ଏମାନେ ହୁଏତ ଜୀବଜନ୍ତୁଙ୍କ ଭୟରୁ ଜମିଠାରୁ ଉପରେ, ଗଛରେ ଘର କରି ରହିଥାନ୍ତି ।

କୁହାଯାଏ, ଏମାନେ ମଣିଷ ମାଂସ ଭକ୍ଷଣ କରନ୍ତି । ତେଣୁ ପ୍ରସିଦ୍ଧ ୟୁଟ୍ୟୁବର ବ୍ଲାଙ୍ଗର ମୀନା ଏମାନଙ୍କ ଉପରେ ଷ୍ଟୋରୀ କଭର କରିବାକୁ ଘଞ୍ଚ ଜଙ୍ଗଲକୁ ଯାଇଥିଲେ । ଏମାନଙ୍କୁ ମାଂସର ସ୍ୱାଦ ସମ୍ପର୍କରେ ପଚରା ଯିବାରୁ କେହି କିଛି କହିପାରି ନ ଥିଲେ । ସେମାନଙ୍କଠାରୁ ୟୁଟ୍ୟୁବର ଜାଣିବାକୁ ପାଇଥିଲେ କି, ଏହି ପ୍ରଥା ଏବେ ସମାପ୍ତ ହୋଇଯାଇଛି . ପ୍ରାୟ ୧୫-୧୬ ବର୍ଷ ହେବ ଆଉ ଲୋକେ ମଣିଷ ମାଂସ ଖାଉନାହାନ୍ତି ।

ମଣିଷ ମାଂସ ଖାଇବା ଏବେକାର କଥା ନୁହେଁ । ଇତିହାସରେ ଯେତେବେଳେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେଉଥିଲା, ସେତେବେଳେ ଏମିତି ହେଉଥିଲା । ସଂଘର୍ଷରେ ବିରୋଧୀଙ୍କୁ ମାରି କୋରୋବାଇମାନେ ସେମାନଙ୍କ ମାଂସ ଖାଉଥିଲେ । ମୁଖ୍ୟତଃ ଗୋଷ୍ଠୀର କୌଣସି ମହିଳାଙ୍କୁ ଅନ୍ୟ ଗୋଷ୍ଠୀର ପୁରୁଷ ଧରିନେବା କାରଣରୁ ପ୍ରତିଶୋଧପରାୟଣ ହୋଇ ଏମିତି କରୁଥିଲେ । ତେବେ ଏହା ଏବେ ବନ୍ଦ ହୋଇଗଲାଣି ।

ଏମାନେ, ମୁଖ୍ୟତଃ, ଶିକାର କରି, ମାଛ ମାରି ଏକାଠି କରନ୍ତି ଓ ପରେ ବାଣ୍ଟିକୁଣ୍ଟି ଖାଆନ୍ତି । ସମୟ ପରିବର୍ତ୍ତନ ସହ ବାହ୍ୟ ଜଗତ ସଂସ୍ପର୍ଶରେ ଆସିବା ପରେ ଏମାନଙ୍କ ଚଳନିରେ ପରିବର୍ତ୍ତନ ହୋଇଛି । ଧୀରେ ଧୀରେ ସମ୍ପୂର୍ଣ୍ଣ ଲଙ୍ଗଳା ହେବା ବଦଳରେ ମହିଳାମାନେ ଛାତି ଓ ଅଣ୍ଟାରେ ଗଛର ଛାଲି ଗୁଡାଉଛନ୍ତି ପୋଷାକଭାବେ