ଚୋରଣୀ ବ୍ୟାଙ୍କ ଅଧିକାରୀ: ଗ୍ରାହକଙ୍କ ଏଫଡିରୁ ଉଠାଇଲା ୪.୫ କୋଟି, ସେୟାର ବଜାରରେ କଲା ନିବେଶ, ବୁଡ଼ିଗଲା ସବୁ ଟଙ୍କା
ଏମିତି ବ୍ୟାଙ୍କ ଅଧିକାରୀ ଦେଖିନଥିବେ ଆପଣ, ବ୍ୟାଙ୍କରେ ଗ୍ରାହକଙ୍କ ଏଫଡି ଆକାଉଣ୍ଟରୁ ନେଇଯାଉଛନ୍ତି
ନୂଆଦିଲ୍ଲୀ: କୋଟାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଲୋକେ ନିଜ ଟଙ୍କା ରଖିବା ଲାଗି ସବୁଠୁ ସୁରକ୍ଷିତ ସ୍ଥାନ ବ୍ୟାଙ୍କକୁ ଭାବନ୍ତି। ହେଲେ ବ୍ୟାଙ୍କର ଜଣେ ଅଧିକାରୀ ଗ୍ରାହକଙ୍କ ଭରସାର ଫାଇଦା ଉଠାଇ ତାଙ୍କ ସହ କୋଟି କୋଟି ଟଙ୍କା ଠକେଇ କରିଛନ୍ତି।
ମିଡିଆ ରିପୋର୍ଟ ମୁତାବକ, ଆଇସିଆଇସିଆଇ ବ୍ୟାଙ୍କରେ ରିଲେସନସିପ ମ୍ୟାନେଜର ପଦବୀରେ ଥିବା ସାକ୍ଷୀ ଗୁପ୍ତା ନିଜ ପଦବୀର ଅପବ୍ୟବହାର କରି ୪୧ ଜଣ ଗ୍ରାହକଙ୍କର ୧୧୦ ଖାତାରୁ ୪.୫୮ କୋଟି ଟଙ୍କା ଉଠାଇନେଇଛନ୍ତି। ଏଥିରେ ଅଧିକାଂଶ ଗ୍ରାହକଙ୍କର ଏଫଡି ଟଙ୍କା ଉଠାଯାଇଥିବା ଜଣାପଡିଛି।
ଏହି କାର୍ଯ୍ୟ ସେ ୨୦୨୦ଠାରୁ ୨୦୨୩ ପର୍ଯ୍ୟନ୍ତ ଲଗାତାର ଦୁଇ ବର୍ଷ ଚଳାଇଥିଲେ, ଯାହାକି ବ୍ୟାଙ୍କ ଏହି ବିଷୟରେ ଜାଣିପାରିନଥିଲା। ଟଙ୍କା ବାହାର କରିବା ପରେ ସାକ୍ଷୀ ଏହି ଟଙ୍କାକୁ ସେୟାର ବଜାରରେ ନିବେଶ କରିଥିଲେ ଏବଂ ଆଶା ରଖିଥିଲେ ଯେ, କିଛି ସମୟରେ ତାଙ୍କୁ ବଡ଼ ରିଟର୍ଣ୍ଣ ମିଳିବ ଏବଂ ପରେ ସେ ଟଙ୍କା ଏଫଡି ଖାତାକୁ ପଠାଇଦେଉଥିଲେ। ହେଲେ ସେୟାର ବଜାର ସାଥ୍ ଛାଡିଦେଲା, ଏବଂ ତାଙ୍କୁ ମୋଟା ଅଙ୍କର ଘାଟା ସହିବାକୁ ପଡ଼ିଲା।
ସାକ୍ଷୀ ଏଠାରେ ଆଉ ଏକ କାମ କରିଥିଲେ, ସେ ଗ୍ରାହକଙ୍କ ଖାତା ସହ ଜଡ଼ିତ ମୋବାଇଲ ନମ୍ବର ବଦଳାଇଦେଇଥିଲେ। ସେହି ସ୍ଥାନରେ ସେ ନିଜ ଜଣାଶୁଣା ଲୋକଙ୍କ ମୋବାଇଲ ନମ୍ବର ଦେଇଥିଲେ। ଅର୍ଥାତ୍ ବ୍ୟାଙ୍କ ସହ ଜଡ଼ିତ ଯେକୌଣସି ମେସେଜ ତାଙ୍କ ପାଖକୁ ଯିବନାହିଁ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ଗ୍ରାହକ ନିଜର ଏଫଡିର ଡାଟା ନେବାକୁ ବ୍ୟାଙ୍କ ପହଞ୍ଚିଥିଲେ। ଏଠାରେ ଏହି କଥା ଉପରିସ୍ଥ କର୍ମଚାରୀଙ୍କ ପାଖକୁ ଯାଇଥିଲା।
ଯାଞ୍ଚ ପରେ ଜଣାପଡିଥିଲା ସାକ୍ଷୀ ଗୁପ୍ତାଙ୍କ କାରନାମା ବିଷୟରେ। ଏହାପରେ ବ୍ୟାଙ୍କ ମ୍ୟାନେଜର ସାକ୍ଷୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହାପରେ ସାକ୍ଷୀ ଗୁପ୍ତାଙ୍କୁ ଗିରଫ କରିଥିଲା।