fbpx

କୋଟିଆ ପ୍ରସଙ୍ଗ: ଓଡ଼ିଶାକୁ ୨୮ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଆନ୍ଧ୍ର ସରକାର ଏହି ମାମଲାରେ ନିଜର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ଆନ୍ଧ୍ରର ପ୍ରତି ଜବାବ ତଲବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଓଡ଼ିଶା ସରକାରଙ୍କ ଅଧିକାରୀଗଣ କୋଟିଆ ଅଞ୍ଚଳରେ ରାଜ୍ୟର ଅଧିକାର ସମ୍ପର୍କିତ ତଥ୍ୟ ଓ ଦସ୍ତାବିଜ ସାଙ୍ଗରେ ଧରି ଦିଲ୍ଲୀରେ ପହଞ୍ଚିଥିଲେ । ଅଧିକାରୀ ଓ ଓକିଲ ଟିମ୍ ମିଶି ରଣନୀତି ପ୍ରସ୍ତୁତ କରିଥିଲେ । ଆନ୍ଧ୍ର ସରକାର କୋଟିଆର ୩ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଶେଷ କରିସାରିଛନ୍ତି । ୧୯୫୨ ମସିହାରୁ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରି ଆସୁଛନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.