fbpx

କୋଟିଆରେ ଥମୁନି ଆନ୍ଧ୍ରର ଦାଦାଗିରି: ନବୀନଙ୍କ ପୋଷ୍ଟର ଚିରିଲେ, ଜଗନଙ୍କର ମାରିଲେ

କୋରାପୁଟ (ଭାସ୍କର ନ୍ୟୁଜ୍‌) : କୋରାପୁଟର କୋଟିଆକୁ ନିଜ ହେପାଜତକୁ ନେବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ କୋଟିଆକୁ ନିଜର କରି ସେଠାକାର ଅଧିବାସୀମାନଙ୍କୁ ମନାଇବା ପାଇଁ ବିଭିନ୍ନ ମାଗଣା ସାମଗ୍ରୀ ପ୍ରଦାନ କରୁଛନ୍ତି ତ ପୁଣି କେତବେଳେ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ସ୍କୁଲ ଖୋଲୁଛନ୍ତି ତ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁ କରୁଛନ୍ତି । ଏପରିକି ତେଲୁଗୁ ଭାଷାରେ ପୋଷ୍ଟର ମାରି କୋଟିଆକୁ ନିଜର ବୋଲି ଦାବି କରୁଛନ୍ତି । ତେବେ ନିକଟରେ ଆନ୍ଧ୍ରର କେତେକ ପ୍ରଶାସନିକ ଅଧିକାରୀ କୋଟିଆରେ ଜୋର୍‌ଜବରଦସ୍ତ ପ୍ରବେଶ କରି ବିଭିନ୍ନ ସ୍ଥାନରେ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକଗୁଡ଼ିକୁ ହଟାଇ ଦେଇଛନ୍ତି । ଏହିସବୁ ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିବାବେଳେ ଏହି ଅଧିକାରୀମାନେ ସେଗୁଡ଼ିକୁ ହଟାଇ ଦେଇ ସେସବୁ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡ୍ଡୀଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଲଗାଇଛନ୍ତି ।

ଏତିକିରେ ସେମାନଙ୍କ ଅନୁପ୍ରବେଶ ସରିନି । ବରଂ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ପାଇଁ ମାପଚୂପ କରିବାରେ ଲାଗିଛନ୍ତି । ତେବେ ଏହି ଅଧିକାରୀମାନେ କୋଟିଆ ତହସିଲଦାର ଓ ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମେଲଙ୍କ ପ୍ରତିବାଦ ପରେ ପଛକୁ ହଟିଯାଇଛନ୍ତି । ଆନ୍ଧ୍ର ଅଧିକାରୀମାନେ କାହା ଅନୁମତିରେ କୋଟିଆ ଭିତରେ ପ୍ରବେଶ କରିଛନ୍ତି ବୋଲି ପଚରାଯିବାରୁ ସେମାନେ କୌଣସି ଉତ୍ତର ନ ଦେଇ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ପରେ ଲୁଚିଛପି ଆସି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି । କୋଟିଆ ଗ୍ରାମପୁଞ୍ଜର ମୋଟ୍‌ ୨୭ଟି ଗ୍ରାମରୁ ୨୧ଟିରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଏନେଇ ମାମଲା ସୁି୍ରମ୍‌କୋର୍ଟରେ ବିଚାରଧୀନ ଅଛି । କିନ୍ତୁ ଆନ୍ଧ୍ର ସରକାର ନ୍ୟାୟାଳୟର ବିଧି ବ୍ୟବସ୍ଥାକୁ ବେଖାତିର କରି କୋଟିଆରେ ଏକତରଫା ନିଜର ଦବ୍‌ଦବା ଜାହିର କରିବା ପାଇଁ ପ୍ରୟାସ ଚଳାଇଛନ୍ତି । କେତେବେଳେ କୋଟିଆରେ ଚାଲିଥିବା ଓଡ଼ିଶାର କାମକୁ ସେମାନେ ବିରୋଧ କରି ବନ୍ଦ କରୁଛନ୍ତି ତ ଆଉ କେତେବେଳେ ଭାଷା ପରିବର୍ତ୍ତନ କରି ପିଲାଙ୍କୁ ଆନ୍ଧ୍ରମୁହାଁ କରାଉଛନ୍ତି । ରାଜ୍ୟ ସରକାର ଏନେଇ ଠୋସ୍‌ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଛି ।

Get real time updates directly on you device, subscribe now.