fbpx

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ଅନ୍ୟ ରାଜ୍ୟରେ ଖୋଲିବ ସହାୟତା କକ୍ଷ, ନୂଆ ଯୋଜନା ପ୍ରସ୍ତୁତ କଲା ରାଜ୍ୟ ଶ୍ରମ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗରିବଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିଜାତ ସାମଗ୍ରୀ ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ତେବେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଅର୍ଥାଭାବରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ରାଜ୍ୟ ବାହାରେ ରହୁଥିବାରୁ ଅନେକ ସମୟରେ ଏହି ଶ୍ରମିକମାନେ ନିର୍ଯାତିତ ହେଉଥିବା ଦେଖାଯାଇଥାଏ ।

ତେବେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୂର କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏଣିକି ରାଜ୍ୟ ଶ୍ରମ ବିଭାଗ ସିଧାସଳଖ ହସ୍ତକ୍ଷେପ କରିବ । ଫଳରେ ଯଥାଶୀଘ୍ର ପ୍ରବାସୀଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚି ପାରିବ । ଏଥିପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏକ ତିନିବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ମାସେ ଦୁଇମାସ ଭିତରେ ଚିଠା ପ୍ରସ୍ତାବ ଆସିବା ପରେ ତାହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।

ଯୋଜନା ଅନୁସାରେ, ରାଜ୍ୟ ବାହାରକୁ ଯିବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟରେ ପଞ୍ଜିକରଣ କରିବେ । କେଉଁ କମ୍ପାନୀରେ କାମ କରୁଛନ୍ତି, କେଉଁ ବୃତ୍ତିରେ ଅଛନ୍ତି, କାହା ମାଧ୍ୟମରେ ରାଜ୍ୟ ବାହାରକୁ ଯାଉଛନ୍ତି ସେନେଇ ସମସ୍ତ ଡାଟା ରାଜ୍ୟ ସରକାରଙ୍କ ପାଖରେ ରହିବ । ଫଳରେ ଅନ୍ୟ ରାଜ୍ୟରେ ଏହି ପ୍ରବାସୀଙ୍କ ଉପରେ କୌଣସି ଅତ୍ୟାଚାର ହେଲେ ବା ସେମାନେ କୌଣସି ସମସ୍ୟାରେ ପଡ଼ିଲେ ରାଜ୍ୟ ସରକାର ସହଯୋଗ ପ୍ରଦାନ କରିବେ । ଏ ବାବଦରେ ଶ୍ରମ ବିଭାଗ ପକ୍ଷରୁ ପ୍ରବାସୀ ଶ୍ରମିକମାନେ ରହୁଥିବା ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଉଛି । ଏଥିସହିତ ବିଭିନ୍ନ ରାଜ୍ୟରେ ରହିଥିବା ପ୍ରବାସୀ ଓଡ଼ିଆ ସଂଘ ସହିତ ମଧ୍ୟ ବିଭାଗ ପକ୍ଷରୁ ବୁଝାମଣା ସ୍ୱାକ୍ଷର କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.