fbpx

ଜମି କିଣାବିକା ନିୟମ ବଦଳିଲା: ପ୍ରଥମେ ଅନଲାଇନ୍ ସ୍ଲଟ୍ ବୁକିଂ, ତା’ପରେ ରେଜିଷ୍ଟ୍ରେସନ, ଦେଶର ପ୍ରଥମ ରାଜ୍ୟ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଜମି କିଣାବିକା ବହୁଳ ଭାବେ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ଜମି କିଣାବିକାକୁ ନେଇ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଜମିଜମା ଇ-ରେଜିଷ୍ଟ୍ରେସନ ବା ପଞ୍ଜିକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି କ୍ଷେତ୍ରରେ ଭିଡ଼ ସମସ୍ୟା ଦେଖାଦେଉଥିଲା । ତେଣୁ ଏଣିକି ଜନସାଧାରଣଙ୍କୁ ପ୍ରଥମେ ଅନଲାଇନରେ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ଏହାପରେ ଧାର୍ଯ୍ୟ ସମୟ ଅନୁସାରେ ଜମି ରେଜିଷ୍ଟ୍ରେସନ କରାଯିବ ।

ସୂଚନା ମୁତାବକ, ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ (ଆଇଜିଆର)ଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଣିକି ଯେ କୌଣସି ଜମି କିଣାବିକା ବା ପଞ୍ଜିକରଣ ପାଇଁ ପ୍ରଥମେ ଅନଲାଇନରେ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ଏହାଦ୍ୱାରା ସେଲ ଡିଡ୍ କିମ୍ବା ପଞ୍ଜୀକରଣ ପାଇଁ ସବରେଜିଷ୍ଟ୍ରେସନ ଅଫିସରେ ଭିଡ଼ ସମସ୍ୟା ଦୂର ହୋଇପାରିବ । ଏହାଫଳରେ ଜାଲିଆତି ଓ ଦୁର୍ନୀତିକୁ ମଧ୍ୟ ରୋକିହେବ । ଫଳରେ ଜଣେ ବ୍ୟକ୍ତି ବିଶ୍ୱର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଜମି କିଣାବିକା ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ପୂର୍ବରୁ ଅନଲାଇନ୍ ସ୍ଲଟ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଇଜିଆରଙ୍କ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଅନଲାଇନରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ଯଥେଷ୍ଟ ସମୟ ପାଇବେ । ଜାଲିଆତି ଉପରେ ଅଙ୍କୁଶ ଲାଗି ପାରିବ । ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ୍ ସ୍ଲଟ ବୁକିଂ କରାଯାଉଥିବା ବେଳେ ଏନେଇ ବିଧିବଦ୍ଧ ଭାବେ ଗେଜେଟ୍ ପ୍ରକାଶ ପାଇଛି ।

Get real time updates directly on you device, subscribe now.