fbpx

କମ୍ ଟଙ୍କାରେ ଜମି ଦେବା କହି ମହିଳାଙ୍କଠୁ ଲୁଟିନେଲେ ୪୧ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ମତେ ପ୍ରଥମେ ଲୋଭ ଦେଖାଇ କହିଲେ ଟଙ୍କା ଦରକାର ଅଛି, ତେଣୁ କମ୍ ଦାମ୍ ରେ ଜାଗା ବିକ୍ରି କରିବାକୁ ଚାହୁଁଛୁ । ମୁଁ ସେମାନଙ୍କ କଥାରେ ରାଜି ହୋଇ ଟଙ୍କା ଦେଇ ଜାଗା କିଣିବା ପରେ ଜାଣିବାକୁ ପାଇଲି ଯେ, ଜାଗା ଆଉ ଜଣଙ୍କୁ ବିକ୍ରି ହୋଇସାରିଛି ଏବଂ ମୋର ୪୧ଲକ୍ଷ ଟଙ୍କା ସେମାନେ ଠକି ନେଇସାରିଛନ୍ତି” । ଏ ହେଉଛି ରାଜଧାନୀରେ ଜମି ଦଲାଲଙ୍କର ଠକେଇ ଶିକାର ହୋଇଥିବା ମହିଳାଙ୍କ ବୟାନ । କିଛି ଦିନ ହେବ ରାଜଧାନୀରେ ସକ୍ରିୟ ହୋଇଯାଇଛନ୍ତି ଜମି ଦଲାଲ୍ । ସାଧାରଣ ଲୋକମାନଙ୍କୁ କମ୍ ଦାମରେ ଜମି ବିକ୍ରି କରିବାର ପ୍ରଲୋଭନ ଦେଖାଇ ଠକିବାରେ ଲାଗିଛନ୍ତି ଏହିଭଳି କିଛି ଦଲାଲ୍ । ଏହି ଠକେଇର ଶିକାର ହୋଇଥିବା ଏବେ ପୁଲିସ୍ କମିସନରଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, ଜମି ଦଲାଲଙ୍କ ଦ୍ୱାରା ୪୧ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି ନାଗେଶ୍ୱରଟାଙ୍ଗୀ ଅଞ୍ଚଳର ରେଣୁବାଳା ବୈରିଶଲ ନାମକ ଜଣେ ମହିଳା । ଠକେଇ କରିଥିବା ଦୁଇ ଜଣଙ୍କ ନାମରେ ବଡ଼ଗଡ ଥାନାରେ ମାମଲା ହେବା ସହ ହାଇକୋର୍ଟ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନଥିବାରୁ ମହିଳା ଜଣକ ଶେଷରେ ପୁଲିସ କମିସନରଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀ ଏମ୍ଆଇଜି-ଆଇ ୧୬/୨୨ରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ର ପୂର୍ବରୁ ତାଙ୍କ ପରିବାର ସହ ପରିଚିତ ଥିଲେ । କଟକ ବ୍ରାହ୍ମଣଝରିଲୋ ଏକ ଜମି କିଣି ପ୍ଲଟିଂ କରି ବିକିବାକୁ ପ୍ରଶାନ୍ତ ପ୍ରବତ୍ତର୍ଚାଇଥିଲେ । ଏଥିପାଇଁ ମହିଳାଙ୍କ ସହ ପ୍ରଶାନ୍ତ ନୟାପଲ୍ଲୀ ଥାନା ଅଧିନ ଆଇଆର୍ସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍ ୪/ଏଫ୍ ୩୨୫ରେ ରହୁଥିବା ସୁବ୍ରତ ଦାସଙ୍କ ସହ ପରିଚୟ କରାଇଥିଲେ । ସୁବ୍ରତ ଓ ରେଣୁବାଳା ଉକ୍ତ ଜମି କିଣିବାକୁ ଭୁବନେଶ୍ୱର କୋର୍ଟରେ ଚୁକ୍ତି ହୋଇଥିଲା । ନୋଟାରୀରେ ହୋଇଥିବା ଚୁକ୍ତି ଅନୁଯାୟୀ ଏଥିରେ ପ୍ରଶାନ୍ତ ସାକ୍ଷୀ ରହିଥିଲେ । ଏହି ଜମି ପାଇଁ ରେଣୁବାଳା ୨୬ଲକ୍ଷ ଟଙ୍କା ଓ ସୁବ୍ରତ ଦାସ ୧୮ଲକ୍ଷ ଟଙ୍କା ଦେଇଥିଲେ ।

କିଛି ମାସ ପରେ ଉକ୍ତ ଜମି ସମ୍ପର୍କରେ ମହିଳା ଜଣକଙ୍କ ଜାଣିବାକୁ ଚାହିଁବାରୁ ଜାଣିବାକୁ ପାଇଥିଲେ ଯେ, ଜମିର ମାଲିକଙ୍କ ମୃତ୍ୟୁ ହୋଇଛି ଓ ଏହା ପୂର୍ବରୁ ସୁବ୍ରତ ଓ ପ୍ରଶାନ୍ତ ଉକ୍ତ ଜମି କିଣି ଲୋକଙ୍କକୁ ବିକ୍ରି କରି ଟଙ୍କା ହଡ଼ପ କରି ନେଇଛନ୍ତି । ଏନେଇ ମହିଳା ଜଣକ ନିଜ ମୂଳ ଧନ ଓ ଲାଭ ବାବଦ ୪୧ଲକ୍ଷ ଟଙ୍କା ମାଗିବାରୁ ଉଭୟ ଧରାଛୁଆଁ ଦେଇନଥିଲେ । ଏନେଇ ବଡ଼ଗଡ ଥାନାରେ ଅଭିଯୋଗ କରାଯିବା ପରେ ଦଫା ୪୨୦, ୪୦୬, ୪୬୫, ୪୬୮ ଓ ୩୪ରେ ମାମଲା ହୋଇଥିଲା । ଦୁହେଁ ହାଇକୋର୍ଟରୁ ଜାମିନ ପାଇବାକୁ ଚେଷ୍ଟା କରିବାରୁ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଛି । ଏଥିସହ ହାଇକୋର୍ଟ ସେମାନଙ୍କୁ ତୁରନ୍ତ ଗିରଫ କରି ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଥାନାରେ ମାମଲା ହେବାର ୧୦ମାସ ବିତିଗଲାଣି ଓ ହାଇକୋର୍ଟ ନିର୍ଦ୍ଦେଶ ଦେବା ୨ମାସ ଦିନ ବିତିଗଲାଣି ଅଥଚ ପୁଲିସ୍ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏଣୁ ହାଇକୋର୍ଟକୁ ଅବମାନନା କରିଥିବାରୁ ଓ କାର୍ୟ୍ୟାନୁଷ୍ଠାନ ପାଇଁ ମହିଳା ଜଣଙ୍କ ପୁଲିସ କମିସନରଙ୍କ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ କମିସନର କାର୍ୟ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Get real time updates directly on you device, subscribe now.