fbpx

ରାମନବମୀରେ ଆମିଷ ଖାଇବାକୁ ନେଇ JNUରେ ହିଂସା: ଏବିଭିପି ଛାତ୍ରଙ୍କ ଭିଡିଓ ଶେୟାର କଲେ ଆଇସି ଘୋଷ

ନୂଆଦିଲ୍ଲୀ: ଲେଫ୍ଟ ୱିଙ୍ଗ ଛାତ୍ର ଛାତ୍ରୀ ଏବଂ ଏବିଭିପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ଘଟିଯାଇଛି ସଂଘର୍ଷ । ତେବେ କୌଣସି ଗୁରୁତର ପ୍ରସଙ୍ଗକୁ ନେଇ ନୁହେଁ ବରଂ ଆମିଷ ଖାଇବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଘଟିଛି ସଂଘର୍ଷ । ରାମନବମୀରେ ଆମିଷ ଖାଇବାକୁ ନେଇ ଉଭୟ ପକ୍ଷର ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ । ବାମପନ୍ଥୀ ଛାତ୍ରଛାତ୍ରୀଙ୍କୁ ଆମିଷ ଖାଇବାକୁ ବାରଣ କରିବା ସହିତ ଏବିଭିପିର ଛାତ୍ରଛାତ୍ରୀ ହିଂସାକାଣ୍ଡ ଘଟାଇଥିଲେ । ଏହା ସହିତ କାବେରୀ ହଷ୍ଟେଲ କ୍ୟାମ୍ପସରେ ମେସ୍ ସେକ୍ରେଟାରୀଙ୍କୁ ମଧ୍ୟ ଏବିଭିପି ଛାତ୍ରଛାତ୍ରୀ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି ।

ଅନ୍ୟ ପକ୍ଷରେ ହଷ୍ଟେଲ କ୍ୟାମ୍ପସରେ ବାମପନ୍ଥୀ ଛାତ୍ର ମାନେ ପ୍ରଭୁ ଶ୍ରୀରାମଙ୍କ ପୂଜା କରାଇ ଦେଉନଥିବା ନେଇ ଏବିଭିପି ପକ୍ଷରୁ ଅଭିଯୋଗ ଆସିଛି । ଏହି ଘଟଣା ପରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଖାଦ୍ୟପେୟ ଉପରେ କୌଣସି କଟକଣା ନାହିଁ । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଆମିଷ ଖାଇବା ଉପରେ କୌଣସି ରୋକ ନାହିଁ ବୋଲି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି । ରାମ ନବମୀ ହେଉ କି ରମଜାନ୍ ସମସ୍ତଙ୍କୁ ସବୁକିଛି ଖାଇବାର ଅଧିକାର ରହିଛି ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତଅପକ୍ଷ ।

ଜେଏନ୍ୟୁ ରେକ୍ଟର ଅଜୟ ଦୁବେ କହିଛନ୍ତି, ସମସ୍ତେ ନିଜର ଧର୍ମ ପାଳନ କରନ୍ତୁ । ମେସକୁ ଛାତ୍ର ସଂଘ ପରିଚାଳନା କରୁଥିବା ବେଳେ ମେନୁ ସେହିମାନେ ହିଁ ନିର୍ଦ୍ଧାରଣ କରିଥାନ୍ତି । ଏହି ଘଟଣାକୁ ନେଇ ହଷ୍ଟେଲ ୱାର୍ଡେନଙ୍କୁ ନୋଟିସ ଦିଆଯାଇଥିବା ବେଳେ ସମସ୍ତେ ନିଜ ନିଜ ଆସ୍ଥା ଓ ବିଶ୍ୱାସ ଅନୁସାରେ ପୂଜା କରି ପାରିବେ ବୋଲି କଲେଜ କର୍ତ୍ତୃପକ୍ଷ କହିଛି ।

ଉଭୟ ପକ୍ଷଙ୍କ ପକ୍ଷରୁ ଦୋଷାରୋପର ରାଜନୀତି ଜାରି ରହିଥିବା ବେଳେ ପରସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ସାଉଥୱେଷ୍ଟ ଡିସିପି । ଉଭୟ ପକ୍ଷ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆନ୍ଦୋଳନ କରୁଥିବାରୁ କୌଣସି ଅଭିଯୋଗ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଜେଏନୟୁ ସଭାପତି ଆଇସି ଘୋଷ ଭିଡିଓଟିକୁ ଶେୟାର କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦେଖନ୍ତୁ ଭିଡିଓ…..

 

Get real time updates directly on you device, subscribe now.