ରାୟଗଡାରେ ବିଜେଡି ଉଭାନ ଲେନିନ କହୁଛନ୍ତି ସଂଗଠନ ଉପରେ ପଡିବନି ପ୍ରଭାବ
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସୁଦୃଢ଼ ରହିଛି , ଭାସ୍କର ରାଓଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ।
ଭୁବନେଶ୍ୱର. ଭାସ୍କର ରାଓ, ଶ୍ରୀ ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଦଳ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାୟଗଡା ଜିଲ୍ଲାରେ ଶ୍ରୀ ଏନ୍. ଭାସ୍କର ରାଓ, ଶ୍ରୀ ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି । କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଶ୍ରୀ ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଯଦି ଶ୍ରୀ ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ୱା ସମୟ ଦଳରେ କାର୍ଯ୍ୟ କରିଥିବା ଶ୍ରୀ ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି । ଦଳ ତରଫରୁ ଶ୍ରୀ ରାଓଙ୍କୁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା । ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିବା ସତ୍ତ୍ୱେ ସେ ଦଳ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିଜେଡି ଶାସନ ଦାୟିତ୍ୱରେ ଥିବା ସମୟରେ ସେ ଦଳର ବିଭିନ୍ନ ଦାୟିତ୍ୱରେ ଥିଲେ, ଆଜି ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ସେ ଦଳ ଛାଡ଼ିଛନ୍ତି । ଡ଼ ମହାନ୍ତି କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ।
ସୂଚନାମୁତାବକ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ଭାସ୍କର ରାଓ୨୦୧୯ରେ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ଏହାସହିତ ଲାଲ ବିହାରୀ ହିମିରିକା ମଧ୍ୟ ଦଳରୁ ବିଦାୟ ନେଇଛନ୍ତି ।