fbpx

ପିଲାଙ୍କ ମୁଣ୍ଡରୁ କମିବ ପାଠପଢା ଟେନସନ୍: ସ୍କୁଲରେ ୨୯ ଘଣ୍ଟାର ପାଠପଢା ପାଇଁ ଗାଇଡଲାଇନ୍

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ ନୂଆ ଗାଇଡଲାଇନ୍ ପ୍ରସ୍ତୁତ କରାଯିବ । ଏଥିପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ନିୟମ ଅନୁସାରେ, ସ୍କୁଲରେ ପିଲାଙ୍କ ପାଠପଢା ପାଇଁ ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି । ଏଣିକି ସପ୍ତାହକୁ ମାତ୍ର ୨୯ ଘଣ୍ଟା ପାଠ ପଢିପାରିବେ ଛାତ୍ରଛାତ୍ରୀ । ପିଲାଙ୍କ ମୁଣ୍ଡରୁ ପାଠପଢା ବୋଝ ହାଲକା କରିବା ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଉଛି । ୭ ଦିନରେ ୨୯ ଘଣ୍ଟା କ୍ଲାସ କରିବା ପାଇଁ ଖୁବଶୀଘ୍ର ନୂଆ ନିର୍ଦ୍ଦେଶ ଲାଗୁ କରାଯିବ ।

ସୂଚନା ଅନୁସାରେ, ନୂଆ ଶିକ୍ଷା ନୀତି ଅନୁସାରେ, ଗୋଟିଏ ବର୍ଷର ମୋଟ ୧୦ ଦିନରେ ବ୍ୟାଗ୍ ନ ନେଇ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ଏହାଦ୍ୱାରା ସେମାନଙ୍କ ବୋଝ ହାଲକା ହୋଇପାରିବ । ଏଭଳି ଏକ ନୂଆ ନିୟାମଳୀକୁ ମଞ୍ଜୁରୀ ଦେବାକୁ ଯାଉଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ତେବେ ଏହି ୨୯ ଘଣ୍ଟା ପରେ ବାକି ସମୟ ପିଲାମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ କରାଯିବ । ପାଠପଢା ନଥିବା ବେଳେ ପିଲାମାନେ ଖେଳକୁଦ କରିବା ସହ ରିକ୍ରିଏସନ ଏବଂ ନିଜ ରୁଚି ଅନୁସାରେ ଅନ୍ୟ କିଛି କାର୍ଯ୍ୟରେ ସୁଯୋଗ ମିଳିପାରିବ । ଯାହା ଦ୍ୱାରା ପିଲାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ନିହାତି ଆବଶ୍ୟକ ବୋଲି କୁହାଯାଇପାରେ । ଏହାଦ୍ୱାରା ପିଲାମାନଙ୍କର ସାମାଜିକ ଏବଂ ମାନସିକ ସ୍ତରରେ ମଧ୍ୟ ବିକାଶ ହୋଇପାରିବ । ଏହାସହ ସ୍କୁଲ ମାନଙ୍କରେ ବର୍ତ୍ତମାନ ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି, ଯାହାଦ୍ୱାରା ରାଜ୍ୟର ସାକ୍ଷରତା ହାର ମଧ୍ୟ ବୃଦ୍ଧି ପାଇବ ।

ନେସନାଲ ଏଜୁକେସନ ପଲିସିରେ ସ୍କୁଲରେ ପ୍ରତି ସପ୍ତାହ ୨୯ ଘଣ୍ଟା କ୍ଲାସ କରିବା ପାଇଁ ନିୟମ କରାଯାଇଛି । ଏହି ପଲିସି କେବଳ ଉତ୍ତରପ୍ରଦେଶ ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷ-୨୦୨୪ରୁ ଲାଗୁ କରାଯିବ । ପିଲାମାନଙ୍କ ଉପରେ ବଢୁଥିବା ସ୍କୁଲ ବ୍ୟାଗର ଓଜନ ହ୍ରାସ କରିବା ପାଇଁ କର୍ଣ୍ଣାଟକ ସରକାର ନିକଟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଠାରେ ଏବେ ପିଲାମାନଙ୍କୁ ନିଜ ଓଜନର ୧୫% ଓଜନ ବ୍ୟାଗ୍ ନେଇପାରିବେ । ଏହାଠାରୁ ଅଧିକ ଓଜନର ବ୍ୟାଗ୍ ନେଇ ସ୍କୁଲ ଯାଇ ପାରିବେ ନାହିଁ ଛାତ୍ରଛାତ୍ରୀ । ଏହାସହିତ ରାଜ୍ୟ ସରକାର ସପ୍ତାହରେ ଗୋଟିଏ ଦିନ ‘ନୋ ବ୍ୟାଗ୍ ଡେ’ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.