fbpx

‘ଉଲଗ୍ନ କରି ଶ୍ୱଶୁର-ଦିଅର ଆଗରେ ମାଡ଼ ମାରୁଛନ୍ତି ସ୍ୱାମୀ, ଶୁଣୁନି ପୋଲିସ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର-ଦିଅର ଆଗରେ ଉଲଗ୍ନ କରି ମୋ ସ୍ୱାମୀ ମୋତେ ମାଡ଼ ମାରିଲେ । ଚୁଟି ଘୋଷାରି ପ୍ରବଳ ମାଡ଼ ମାରିଲେ । ମାରିକି ମୋ ମୁଣ୍ଡ ଫଟେଇ ଦେଲେ । ତା ପରେ କିରୋସିନି ଢାଳି ମାରିବାକୁ ଉଦ୍ୟମ କଲେ । ଆଉ କହୁଛନ୍ତି ଯେ କୋଉ ଥାନା କି ଫାଣ୍ଡି ଯିବୁ ଯା… ଆମର କଣ କରିବୁ? ପୋଲିସ୍-ପଇସା- ପାୱାର ସବୁ ତାଙ୍କର ଅଛି । ସରପଞ୍ଚ ଓ ୱାର୍ଡ ମେମ୍ବର ସମସ୍ତେ ତାଙ୍କ ସପକ୍ଷରେ ଅଛନ୍ତି । ମୋ ପାଖରେ ଟଙ୍କା ନାହିଁ କି ଲୋକବଳ ନାହିଁ । ତେଣୁ ମୋର କେବଳ ନ୍ୟାୟ ଦରକାର । ମୋର ଦୁଇଟି ପିଲା, ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରୁଛି । ମୋର ଆଉକିଛି ଦରକାର ନାହିଁ । ଏଭଳି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି ଲିନା ।

ରାଜଧାନୀ ଉପକଣ୍ଠ ତଥା ଜଟଣୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ସ୍ୱାମୀ ସାଜିଯାଇଛି ସୈତାନ । ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ନିର୍ଯାତିତା ଲିନା ବିଧାର । ତାଙ୍କ ସ୍ୱାମୀଙ୍କ ନାମ ପ୍ରସନ୍ନ ବିଧାର । ଅଛନ୍ତି ଦୁଇଟି ସନ୍ତାନ । କିନ୍ତୁ ସ୍ୱାମୀର ନିର୍ଯାତନା ଅସହ୍ୟ ହେବାରୁ ଲିନା କହିଛନ୍ତି ଯେ- ନା ସ୍ୱାମୀ ନା ଘର… କିଛି ଦରକାର ନାହିଁ, କେବଳ ମୋର ନ୍ୟାୟ ଦରକାର । ତାଙ୍କୁ ଏଭଳି ଦଣ୍ଡ ଦରକାର, ଯେପରି କୌଣସି ସ୍ୱାମୀ ତା ସ୍ତ୍ରୀକୁ ଏଭଳି ଉଲଗ୍ନ କରି ମାଡ଼ ମାରିବାକୁ ସାହସ କରିବନି । କିନ୍ତୁ କଣ କରିବି? ଜଟଣୀ ଥାନାକୁ ଗୁହାରି କରିବାକୁ ଗଲେ ଧମକାଇ ଗେଟ୍ ପାଖରୁ ବିଦା କରିଦେଉଛନ୍ତି । ମୋ ଦୁଃଖ ଶୁଣୁନାହାନ୍ତି ବୋଲି ଲିନା ଅଭିଯୋଗ କରିଛନ୍ତି ।

ଲିନାଙ୍କ କହିବା ଅନୁସାରେ ପ୍ରସନ୍ନଙ୍କ ସହ ତାଙ୍କ ବାହାଘର ୨୦୧୨ରେ ହୋଇଥିଲା । ଆରେଞ୍ଜ ମ୍ୟାରେଜ୍ ହୋଇଥିଲା । କିନ୍ତୁ ବାହାଘର ୩ବର୍ଷ ପରେ ଆରମ୍ଭ ହୋଇଯାଇଥିଲା ପ୍ରସନ୍ନଙ୍କ ସୈତାନୀ ଗୁଣ । ବହୁବାର ଥାନାକୁ ଯାଇଛି କଳହର ପ୍ରସଙ୍ଗ । ଗତ ୭-୮ମାସ ତଳେ ମଧ୍ୟ କେସ୍ ହୋଇଥିଲା । ଲିନାଙ୍କ ବାପଘର ପକ୍ଷରୁ ଦିଆଯାଇଥିଲା ଏତଲା । ଆଗରୁ ଘର କଳହ ଘର ଭିତରେ ରହୁଥିଲା । ସ୍ୱାମୀ-ସ୍ତ୍ରୀ ଭିତର କଥା ପଦାକୁ ଯାଉ ବୋଲି ଲିନା ଚାହୁନଥିଲେ । କିନ୍ତୁ ବର୍ତ୍ତମାନ ସବୁ ପଦାରେ ପଡ଼ିଗଲାଣି । ସବୁବେଳେ ସ୍ୱାମୀ ମାରୁଛନ୍ତି ଓ ଧମକଚମକ ଦେଉଛନ୍ତି । ପିଲାଙ୍କ ଦେହ ଖରାପ ହେଲେ ବାଧ୍ୟହୋଇ ବାପାଙ୍କ ଘରକୁ ଯାଏ, ତେବେ ଆମଘରୁ ସବୁ ନେଇ ତୋ ବାପା ଘରେ ପୂରେଇ ଦଉଛୁ ବୋଲି ପ୍ରସନ୍ନ ମାଡ଼ ମାରୁଛନ୍ତି । ଏପରିକି ତାଙ୍କ ସହ ଆମର କିଛି ରିଲେସନ୍ ନାହିଁ ବୋଲି କହି ନିର୍ଯାତନା ଦେଉଛନ୍ତି ବୋଲି ଲିନା ଅଭିଯୋଗ କରିବା ସହ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।

Get real time updates directly on you device, subscribe now.