fbpx

ଲିଭ୍ ଇନ୍ ରିଲେସନକୁ ନେଇ ହାଇକୋର୍ଟ ଦେଲେ କଡା ଟିପ୍ପଣୀ, ଏପରି କହି ଏକ ଲିଭ୍ ଇନ୍ ଯୋଡିଙ୍କ ଆବେଦନକୁ କଲେ ଖାରଜ

Advertisement

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଲିଭ୍ ଇନ୍ ରିଲେସନସିପ୍ କେବଳ ଏକ ଟାଇମପାସ୍ । ଲିଭ୍ ଇନ୍ ରିଲେସନରେ ରହୁଥିବା ଏକ ଭିନ୍ନ ଧର୍ମର ଯୋଡିଙ୍କ ପୋଲିସ ସୁରକ୍ଷା ଆବେଦନ ଉପରେ ଶୁଣାଣୀ କରିବା ସମୟରେ ହାଇକୋର୍ଟ କହିଛନ୍ତି ଏପରି ସଂପର୍କରେ ସ୍ଥିରତା ଓ ଓ ବିଶ୍ୱସ୍ଥତା କମ୍ ରହିଥାଏ । ହାଇକୋର୍ଟ ଏପରି ଟିପ୍ପଣୀ ରଖିବା ସହିତ ପୋଲିସ ସୁରକ୍ଷା ଦାବୀ କରିଥିବା ଯୋଡିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ବିଚାରପତି ରାହୁଲ ଚତୁର୍ବେଦୀ ଓ ବିଚାରପତି ମହମ୍ମଦ ଅଜହର ହୁସେନ ଇଦରିସିଙ୍କ ପୀଠ କହିଛନ୍ତି କି ଏଥିରେ କୌଣସି ସନ୍ଦେହ ନାହିଁ କି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ବହୁ ମାମଲାରେ ଲିଭ୍ ଇନ୍ ରିଲେସନକୁ ବୈଧ କହିଛନ୍ତି । କିନ୍ତୁ ଏହି ମାମଲାରେ ୨୦-୨୨ ବର୍ଷ ବୟସରେ ମାତ୍ର ୨ ମାସ ଏକାଠି ରହିବା ପରେ ଆମେ ଏହା ଆଶା କରିପାରିବୁ ନାହିଁ କି ଏମାନେ ସାରାଜୀବନ ସାଥୀ ହୋଇ ରହିବାକୁ ସକ୍ଷମ ହେବେ କିମ୍ବା ସେମାନେ ଏହି ପ୍ରକାର ଅସ୍ଥାୟୀ ସଂପର୍କକୁ ନେଇ ଗମ୍ଭୀର ଅଟନ୍ତି ।

କୋର୍ଟ କହିଛନ୍ତି ଏହି ଯୋଡିଙ୍କ ପ୍ରେମରେ କୌଣସି ବିଶ୍ୱସ୍ଥତା ଥିବା ପରି ଲାଗୁନାହିଁ । ଏହା କେବଳ ମାତ୍ର ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ । କୋର୍ଟ ଆହୁରି କହିଛନ୍ତି ଆମର ଅନୁଭବରୁ ଏହା ଜଣାପଡିଛି କି ଏହିପ୍ରକାର ସମ୍ବନ୍ଧ ପ୍ରାୟତଃ ଟାଇମପାସ୍ ହୋଇଥାଏ, ଏହା ଅସ୍ଥାୟୀ ଓ ଦୂର୍ବଳ ବି ହୋଇଥାଏ । ତେଣୁ ଆମେ ସବୁ ଦିଗରୁ ଯାଞ୍ଚ କରିବା ପରେ ଏହି ନିଷ୍ପତ୍ତି ନେଲୁ କି ଏହି ଯୋଡିଙ୍କୁ କୌଣସି ସୁରକ୍ଷା ଦିଆଯାଇପାରିବ ନାହିଁ ।

ଏହି ମାମଲାରେ ହାଇକୋର୍ଟ ଜଣେ ହିନ୍ଦୁ ମହିଳା ଓ ଜଣେ ମୁସଲିମ ପୁରୁଷଙ୍କ ମିଳିତ ଆବେଦନ ଉପରେ ଶୁଣାଣୀ କରୁଥିଲେ ଯେଉଁଥିରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୬୬ ଜରିଆରେ ଅପହରଣ ଅଭିଯୋଗରେ ସେମାନଙ୍‌କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା । ଆବେଦନରେ ଏହି ଯୋଡି ପୋଲିସ ସୁରକ୍ଷା ମାଗିଥିଲେ ।

Get real time updates directly on you device, subscribe now.