fbpx

ନିର୍ବାଚନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ ପ୍ରାର୍ଥୀ: ଉକ୍ତ ଲୋକସଭା ଆସନର ନିର୍ବାଚନ ପ୍ରକ୍ରିୟା ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୨ରେ ପ୍ରକାଶ ପାଇବ । ଲୋକସଭା ଓ ଅନ୍ୟ ୨ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ଦୁଃଖ ଖବର । ନିର୍ବାଚନ ଲଢ଼ିବା ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । ଫଳରେ ଉକ୍ତ ଆସନର ନିର୍ବାଚନ ତାରିଖ ଘୁଞ୍ଚାଇ ଦିଆଯାଇଛି । ମଧ୍ୟପ୍ରଦେଶର ବୈତୁଲ ଲୋକସଭା ଆସନରୁ ବହୁଜନ ସମାଜବାଦୀ ପାର୍ଟି (ବସପା)ରୁ ପ୍ରାର୍ଥୀ ହୋଇଥିବା ଅଶୋକ ଭଲାବୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ଏହି କାରଣରୁ ନିର୍ବାଚନ ଆୟୋଗ ଉକ୍ତ ଆସନର ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ରହିତ ନୂଆ ତାରିଖ ଘୋଷଣା କରିଛନ୍ତି ।

ଦ୍ୱିପ୍ରହର ସମୟରେ ଅଚାନକ ଅଶୋକଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ସୋହାଗପୁର ଗ୍ରାମରେ ରହୁଥିବା ଅଶୋକ ଜଣେ ପରିବା ବ୍ୟବସାୟୀ ଥିଲେ । ତେବେ ପ୍ରାର୍ଥୀଙ୍କର ଦେହାନ୍ତ କାରଣରୁ ଉକ୍ତ ଆସନ ପାଇଁ ନୂଆ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୨୬ରେ ବୈତୁଲ ଆସନରେ ମତଦାନ ହେବାର ଥିଲା । ମାତ୍ର ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ ଖୁବଶୀଘ୍ର ନିର୍ବାଚନ ଆୟୋଗ ଉକ୍ତ ଆସନ ପାଇଁ ନୂଆ ତାରିଖ ଘୋଷଣା କରିବେ ।

Get real time updates directly on you device, subscribe now.