fbpx

ଲୋକସଭା ନିର୍ବାଚନ: କହ୍ନୈୟା ଏବଂ ଉଦିତଙ୍କୁ ନେଇ ବଡ଼ ଯୋଜନାରେ ଅଛି କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପି, କଂଗ୍ରେସ, ଆପ୍ ଭଳି ଅନ୍ୟ ଦଳଗୁଡ଼ିକ ନିଜ ନିଜ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଆପ୍ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

‘ଆପ୍’ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ସମସ୍ତ ୭ଟି ଆସନ ଉପରେ ନିର୍ବାଚନ ଲଢ଼ାଯିବା ନେଇ ସଂକେତ ଦିଆଯାଇଛି । ଏହା ସତ୍ତ୍ୱେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସିଟ୍ ଶେୟାରିଂକୁ ନେଇ ନିଷ୍ପତ୍ତି ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ । ଦିଲ୍ଲୀରେ ଯୁବ ନେତା କହ୍ନୈୟା କୁମାର ଏବଂ ଦଳିତ ନେତା ଉଦିତ ରାଜଙ୍କ ଉପରେ କଂଗ୍ରେସ ବାଜି ଲଗାଇପାରେ । ଏନେଇ ଚର୍ଚ୍ଚା ଜୋର ଧରିଛି ।
ଆପ୍ ସହ ମେଣ୍ଟକୁ ନେଇ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ କହିଛନ୍ତି, ‘ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏହି ମେଣ୍ଟ କରୁଛୁ । ୨ରୁ ୩ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ସିଟ୍ ଶେଆରିଂକୁ ନେଇ କଥାବାର୍ତ୍ତା ଫାଇନାଲ୍ ହୋଇପାରେ । ଏହା ବ୍ୟତୀତ ଦିଲ୍ଲୀର ପ୍ରଦୂଷଣ ପ୍ରସଙ୍ଗକୁ ନେଇ ମଧ୍ୟ ‘ବିଜେପି’ ଏବଂ ‘ଆପ’କୁ’ ଟାର୍ଗେଟ କରାଯିବ । କଂଗ୍ରେସ ପକ୍ଷରୁ ସମସ୍ତ ଆସନ ପାଇଁ ୩ ଜଣ ସମ୍ଭାବିତ ପ୍ରାର୍ଥୀ ଚୟନ କରାଯାଇଛି ଏବଂ ଏହାର ଏକ ତାଲିକା ଦଳ ହାଇକମାଣ୍ଡକୁ ଦିଆଯାଇଛି । କିନ୍ତୁ ଏହା ନଷ୍ପତ୍ତି ହୋଇନାହିଁ ଯେ କେଉଁ ଆସନରେ କଂଗ୍ରେସ ଲଢ଼ିବ ଏବଂ କେଉଁ ଆସନରେ ଆପ୍ । ତେବେ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କୁ ପ୍ରସ୍ତୁତ ରଖିବା ମହତ୍ୱପୂର୍ଣ୍ଣ ଅଟେ । ସୂତ୍ରରୁ ପ୍ରକାଶ ଅଜୟ ମାକନ୍, କୃଷ୍ଣା ତିରଥ, ଜୟ ପ୍ରକାଶ ଅଗ୍ରୱାଲ, ସନ୍ଦୀପ ଦୀକ୍ଷିତ, ରମେଶ କୁମାର, ଉଦିତ ରାଜ, କହ୍ନୈୟା କୁମାର, ରାଜକୁମାର ଚୌହାନ୍, ମଙ୍ଗତ ରାମ ସିଙ୍ଗଲା, ପୂର୍ବତନ ବିଧାୟକ ମୁକେଶ ଶର୍ମା, ନସୀବ ସିଂ, ଅନିଲ ଚୌଧୁରୀ, ହରି ଶଙ୍କର ଗୁପ୍ତା, ମତୀନ ଅହମଦ, ଭୀଷ୍ମ ଶର୍ମା, ହସନ ଅହମଦ, ଦେବେନ୍ଦ୍ର ଯାଦବ ଏବଂ ଅଲକା ଲାମ୍ବାଙ୍କ ନାମ ସମ୍ଭାବିତ ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ସାମିଲ କରିଛି ।

Get real time updates directly on you device, subscribe now.