fbpx

NEET ଅନିୟମିତତା ଅଭିଯୋଗରେ ବିରୋଧୀଙ୍କ ହଟ୍ଟଗୋଳ: ଲୋକସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ

Advertisement

ନୂଆଦିଲ୍ଲୀ : ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା-ନିଟ୍‍ ୟୁଜିରେ ହୋଇଥିବା ଅନିୟମିତତା ଉପରେ ଆଲୋଚନା ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ ହେବାରୁ ବାଚସ୍ପତି ଓମ୍‍ ବିର୍ଲା ଆଜି ଦିନକ ପାଇଁ ଅଧିବେଶନକୁ ସ୍ଥଗିତ ରଖିଛନ୍ତି । ଗୃହକାର୍ଯ୍ୟକୁ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ବାଚସ୍ପତି ଗୃହକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ବାଚସ୍ପତି ଓମ୍‍ ବିର୍ଲା କହିଥିଲେ ନିଟ୍‍ ୟୁଜି ପରୀକ୍ଷା ବିବାଦ ଉପରେ ବିଚାର ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସଂସଦକୁ ଚାଲିବାକୁ ନ ଦେବା ଗଣତନ୍ତ୍ର ପାଇଁ ଶୁଭ ନୁହେଁ ବୋଲି ବାଚସ୍ପତି କହିଛନ୍ତି ।

ନିଟ୍‍ ବିବାଦ ଉପରେ ବିରୋଧୀଙ୍କ ଆଲୋଚନା ଦାବିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରତ୍ୟାଖ୍ୟାନ କରି କହିଥିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କୌଣସି ଆଲୋଚନା ସମୟରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହେବାର ପରମ୍ପରା ନାହିଁ । ଏହି ପ୍ରସଙ୍ଗରେ ଶ୍ରୀ ରିଜିଜୁ କଂଗ୍ରେସ ସମେତ ଅନ୍ୟ ବିରୋଧୀଦଳ ଗୁଡ଼ିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ସରକାର ଯେକୌଣସି ଆଲୋଚନାର ଉତ୍ତରଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ବିରୋଧୀ ସଦସ୍ୟଙ୍କ ପ୍ରଦର୍ଶନ ବଢ଼ିବାରୁ ବାଚସ୍ପତି ଆଜି ଦିନକ ପାଇଁ ଲୋକସଭାକୁ ମୁଲତବୀ ଘୋଷଣାକରିଥିଲେ ।

ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ନେଇ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଅପରାହ୍ନରେ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଚାଲିଛି ।

Get real time updates directly on you device, subscribe now.