fbpx

ମଦ କିଣିବାକୁ ଆସିଥିବା ମହିଳା କହିଲେ ଔଷଧ କାମ କରିବନି, ମଦ କାମ କରିବ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଏହାକୁ ଦେଖି ସୋମବାର ଦିଲ୍ଲୀ ସରକାର ରାଜ୍ୟରେ ୬ ଦିନ ଲକଡାଉନ୍ ଘୋଷଣା କରିଛନ୍ତି । ଲକଡାଉନ୍ ଲାଗିବା ଫଳରେ ପୁର୍ବବର୍ଷ ପରି ଏଥର ମଧ୍ୟ ମଦ ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ଦିଲ୍ଲୀରେ ମେଡିସିନ୍ ଦୋକାନଠାରୁ ମଦ ଦୋକାନ ଆଗରେ ଅଧିକ ଭିଡ ଦେଖିବାକୁ ମିଳିଛି । ଲକଡାଉନ୍ ଘୋଷଣା ହେବା ପରଠାରୁ ଲୋକେ ମଦ କିଣିବାକୁ ଦୋକାନରେ ଭିଡ ଲଗାଇଛନ୍ତି ।

ଦିଲ୍ଲୀର ପ୍ରାୟ ସବୁ ମଦ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । କରୋନା ନିୟମକୁ ଫୁ କରି ଲୋକେ ମଦ କିଣିବାରେ ବ୍ୟସ୍ତ ଅଛନ୍ତି । ଦରିଆଗଞ୍ଜ, ଗୋଲ ମାର୍କେଟ୍, ଲକ୍ଷ୍ମୀନଗର ଆଦି ସ୍ଥାନରେ ଏହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଥିବା କିଛି ଲୋକ କରୋନାକୁ ନେଇ ଅଜବ ଗଜବ କଥା କହୁଛନ୍ତି । ମଦ କିଣିବାକୁ ଆସିଥିବା ଜଣେ ଯୁବକ କହିଛି ଯେ, ସେ ତା ପାଇଁ କିଣିବାକୁ ଆସିନି ବରଂ ତା ମାଲିକଙ୍କ ପାଇଁ କିଣିବାକୁ ଆସିଛି । ସେହିପରି ଆଉ ଜଣେ କହିଛନ୍ତି ଯେ, କରୋନା ସମୟରେ ଅର୍ଥବ୍ୟବସ୍ଥାକୁ ସହଯୋଗ କରିବା ପାଇଁ ମଦ କିଣିବାକୁ ଆସିଛି ।

 

ଏଥିସହିତ ଜଣେ ମହିଳା ମଦ କିଣିବାକୁ ଆସିଥିବା ବେଳେ ସେ କହିଛନ୍ତି ଯେ, କରୋନା ଇଞ୍ଜେକସନ୍ କାମ କରିବନି ବରଂ ମଦର ଗୋଟିଏ ପେକ୍ ପିିଇଲେ କରୋନା ହେବ ନାହିଁ । ମଦରେ ଆଲକୋହଲ୍ ରହିଥାଏ, ତେଣୁ କରୋନା ହେବ ନାହିଁ । ଯେଉଁ ମାନେ ମଦ ପିଇବେ ସେମାନେ ଠିକ୍ ରହିବେ । ତେଣୁ ଲକଡାଉନ୍ ସମୟରେ ମଦ ଦୋକାନ ଖୋଲା ରଖିବା ଦରକାର ଯାହା ଫଳରେ ସେ ଡାକ୍ତରଙ୍କ ପାଖକୁ ଯିବାରୁ ବଞ୍ଚିଯିବେ ।

 

ସୁଚନାଯୋଗ୍ୟ ଯେ, ଦିଲ୍ଲୀରେ ଆଜି କେଜ୍ରିୱାଲ୍ ସରକାର ଲକଡାଉନ୍ ଲାଗୁ କରିଛନ୍ତି । ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ଯାଏଁ ଲକଡାଉନ୍ ଜାରି ରହିବ । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ କାର୍ଯ୍ୟକଳାପ ବନ୍ଦ ରହିବ । ରାଜ୍ୟରେ ଦୁଇ ଦିନ ଭିତରେ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ପରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.