fbpx

ପିଲାଦିନେ ପିତାଙ୍କୁ ହରାଇଲେ, ତା’ ପରେ ସଡ଼କ ଦୁର୍ଘଟଣାରେ ନିଜ ଗୋଡ଼…କାନ୍ଧ ଉପରେ ପରିବାରର ବୋଝ ତଥାପି ପାରାଲିମ୍ପିକ୍ସରେ ଜିତିଲେ ୨ଟି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଭାରତର ଜାଭେଲିନ୍ ଷ୍ଟାର ସୁମିତ ପ୍ୟାରିସରେ ଅନୁଷ୍ଠିତ ପାରାଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶନିବାର କ୍ରମାଗତ ୨ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁମିତ ପୁରୁଷ ଜାଭେଲିନ୍ ଥ୍ରୋ (F64) ବର୍ଗରେ ୭୦.୫୯ ମିଟର ରେକର୍ଡ଼ ଥ୍ରୋ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ଚଳିତ ପାରାଲିମ୍ପିକ୍ସରେ ସେ ତାଙ୍କ ନିଜ ରେକର୍ଡ଼ ଦୁଇ ଥର ଭାଙ୍ଗିଛନ୍ତି । ଟେକିଓ ପାରାଲିମ୍ପିକ୍ସରେ ସେ ୬୮.୫୫ ମିଟର ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ପିତାଙ୍କୁ ହରାଇବା ପରେ ଦୁର୍ଘଟଣାର ଶିକାର ହୋଇଥିଲେ ସୁମିତ

୧୯୯୮ ମସିହା ୭ ଜୁନରେ ଜନ୍ମଗ୍ରହଣ କରିଥିଲେ ସୁମିତ ଅନ୍ତିଲ । ସେ ହରିୟାଣାର ସୋନିପତ ଅଞ୍ଚଳରେ ରୁହନ୍ତି । ଏୟାରଫୋର୍ସରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ପିତା ରାଜକୁମାର ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ । ସେତେବେଳେ ସୁମିତଙ୍କୁ ମାତ୍ର ୭ ବର୍ଷ । ମାତା ନିର୍ମଳା ଦେବୀ ବହୁ ଦୁଃଖ କଷ୍ଟରେ ୪ ସନ୍ତାନଙ୍କ ଲାଳନ ପାଳନ କରିଥିଲେ । ତିନି ଭଉଣୀରେ ଗେହ୍ଲା ଓ ସାନ ଭାଇ ଥିଲେ ସୁମିତ ।

ଦୁର୍ଘଟଣା ବଦଳାଇ ଦେଲା ସୁମିତଙ୍କ ଜୀବନ

ନିର୍ମଳା ଦେବୀଙ୍କ କହିବାନୁଯାୟୀ ସୁମିତ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ସମୟରେ ପିଲାଙ୍କୁ ଟ୍ୟୁସନ୍ କରୁଥିଲା । ୨୦୨୫, ଜାନୁୟାରୀ ୫ରେ ଟ୍ୟୁସନ୍ ଶେଷ କରି ବାଇକ୍ ଯୋଗେ ଫେରିବା ସମୟରେ ସିମେଣ୍ଟ ବସ୍ତା ଭର୍ତ୍ତି ଏକ ଟ୍ରାକ୍ଟର –ଟ୍ରଲି ସୁମିତଙ୍କ ବାଇକକୁ ଧକ୍କା ଦେଇଥିଲା ଏବଂ କିଛି ବାଟ ଘୋସାଡ଼ି ନେଇଥିଲା । ଏହି ଦୁର୍ଘଟଣାରେ ସୁମିତକୁ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଥିଲା । ୨୦୧୬ରେ ସୁମିତ ନକଲି ଗୋଡ଼ ସାହାଯ୍ୟରେ ଛିଡ଼ା ହୋଇଥିଲା । ଏହା ପରେ ମଧ୍ୟ ସୁମିତ କେବେ ଦୁଃଖି ହୋଇ ଭାଙ୍ଗି ପଡ଼ିନଥିଲା । ସୁମିତଙ୍କ ସମ୍ପର୍କୀୟ ଓ ସାଙ୍ଗସାଥି ତାଙ୍କ ସହ ଛିଡ଼ା ହୋଇଥିଲେ ଏବଂ କ୍ରୀଡ଼ା ପ୍ରତି ଉତ୍ସାହିତ କରିଥିଲେ । ଏହା ପରେ ସୁମିତ ଦିଲ୍ଲୀ ସ୍ଥିତ ସାଇ ସେଣ୍ଟର ଜଏନ୍ କଲେ । ସେଠାରେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କୋଚ୍ ବୀରେନ୍ଦ୍ର ଧନଖଡ଼ ତାଙ୍କ ମାର୍ଗଦର୍ଶନ କରିଥିଲେ । ଦ୍ରୋଣାଚାର୍ଯ୍ୟ ଆୱାର୍ଡ଼ କୋଚ୍ ନୱଲ ସିଂହଙ୍କ ଠାରୁ ସେ ଜାଭେଲିନ୍ ଥ୍ରୋରେ ଶିକ୍ଷା ଗ୍ରହଣ କଲେ । ୨୦୨୮ରେ ସୁମିତ ଏସୀୟ ଚମ୍ପିଆନସିପରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ୫ମ ର‌୍ୟାଙ୍କରେ ରହିଲେ । ୨୦୧୯ରେ ବିଶ୍ୱ ଚମ୍ପିଆନସିପରେ ସେ ରୌପ୍ୟ ପଦକ ଜିତିଥିଲେ । ୨୦୨୦ରେ ଟୋକିଓ ଏବଂ ୨୦୨୪ ପ୍ୟାରିସ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଦିନେ ସୁମିତ ମାଆଙ୍କୁ ସାନ୍ତ୍ୱନା ଦେଇ କହିଥିଲେ, ‘ମାଆ ତୁମେ କାନ୍ଦନି, ମୁଁ ତୁମକୁ ଜୀବନର ସବୁ ଖୁସି ଦେବି ।’ ଆଉ ଆଜି ସେ ଏହାକୁ ପ୍ରମାଣିତ କରିଛନ୍ତି । ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ମାଆଙ୍କୁ ସବୁଠାରୁ ବଡ଼ ଖୁସି ଦେଇଛନ୍ତି । ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜାଭେଲିନ୍ ଷ୍ଟାର ସୁମିତଙ୍କୁ ଜୀବନରେ ଅନେକ ସଂର୍ଘଷର ସାମ୍ନା କରିବାକୁ ପଡ଼ିଛି ସତ କିନ୍ତୁ ସେ ପ୍ରତିକୂଳ ପରିସ୍ଥିତିରେ କେବେ ହାର ମାନି ନାହାଁନ୍ତି । ଆଜି ସୁମିତ ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Get real time updates directly on you device, subscribe now.