fbpx

କିଏ ଏହି ପ୍ରିୟଙ୍କା ଟିବ୍ରେୱାଲ, ଯାହାଙ୍କୁ ବିଜେପି ମମତାଙ୍କ ବିରୋଧରେ କରିଛି ପ୍ରାର୍ଥୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଟିଏମସି ସୁପ୍ରିମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଏହି ନିର୍ବାଚନ ପାଇଁ ବିଜେପି ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ପ୍ରିୟଙ୍କା ୨୦୧୪ ଅଗଷ୍ଟରେ ବିଜେପିରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ସେ ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଭାବେ କାମ କରିଥିଲେ । ତାଙ୍କ ସାହାଯ୍ୟରେ ହିଁ ସେ ରାଜନୀତିରେ ପାଦ ଦେଇଛନ୍ତି । ୨୦୧୫ରେ ସେ କୋଲକାତା ନଗରପାଳିକା ନିର୍ବାଚନରେ ୱାର୍ଡ ୫୮ରୁ ନିର୍ବାଚନ ଲଢିଥିଲେ । କିନ୍ତୁ ଟିଏମସି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ ।

୧୯୮୧ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିବା ପ୍ରିୟଙ୍କା କୋଲକାତାର ୱାଲେଣ୍ଡ ଗାଲସ୍ମିଥ୍ ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ପୂରା କରିଥିଲେ । ସେ ଦିଲ୍ଲୀରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ଏହା ପରେ କୋଲକାତା ବିଶ୍ୱ ବିଦ୍ୟାଳୟର ହଜାରା ଆଇନ କଲେଜରୁ ଲରେ ଡିଗ୍ରୀ ହାସଲ କରିଥିଲେ । ସେ ଥାଇଲାଣ୍ଡର ମାନ୍ୟତାପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ଏଚଆରରେ ଏମବିଏ କରିଥିଲେ ।

୨୦୨୦ ଅଗଷ୍ଟରେ ସେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଉପ ସଭାପତି ହୋଇଥିଲେ । ଚଳିତ ବର୍ଷ ସଂପନ୍ନ ବିଧାନସଭା ନିର୍ବାଚନରେ ସେ ଆଣ୍ଟଲି ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ମାତ୍ର ଟିଏମସି ପ୍ରାର୍ଥୀଙ୍କଠୁ ୫୮,୨୫୭ ଭୋଟରେ ହାରିଥିଲେ । ବର୍ତ୍ତମାନ ସେ ବିଜେପିର ମୁଖପାତ୍ର ପଦରେ ଦାୟିତ୍ୱ ତୁଲାଉଛନ୍ତି ।

Get real time updates directly on you device, subscribe now.