ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସକ୍ରିୟ ହେଲା ପଶ୍ଚିମ କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଦକ୍ଷିଣ-ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ରରେ ଲଘୁଚାପ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ୨୪ ଘଣ୍ଟା ଭିତରେ ବିସ୍ତୃତ ବର୍ଷା ସମ୍ଭାବନା ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ କଳାହାଣ୍ଡି, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଶନିବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ଆଗାମୀ ୨ ଦିନ ଏହିସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିଲାବେଳେ ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ଘର ଭାଙ୍ଗିଯିବାର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ନିମନ୍ତେ କୁହାଯାଇଛି ।
ଶୁକ୍ରବାର ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ- ଆଭ୍ୟନ୍ତରୀଣ ଓ ଉତ୍ତର-ଆଭ୍ୟନ୍ତରୀଣ ଜିଲ୍ଳାଗୁଡ଼ିକରେ ବର୍ଷାର ପ୍ରକୋପ ଜାରି ରହିବ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଏବେ ଲଘୁଚାପଜନିତ ବର୍ଷା ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ତେବେ ପ୍ରବଳ ବର୍ଷା ଫଳରେ ପୁଣି ଥରେ ରାଜ୍ୟର ବିଭିନ୍ନ ନଦୀଗୁଡ଼ିକରେ ବନ୍ୟା ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।