ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି ରହିଥିଲା ବେଳେ ସକାଳୁ ସକାଳୁ ଅଧିକ ଥଣ୍ତା ଅନୁଭୂତ ହୋଇଥିଲା। ଜି. ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ ଖସିଛି। ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ଼ ହୋଇଛି। ୧୨ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ଓ ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ଼ ହୋଇଛି।
ହେଲେ ଆଜି ମଧ୍ୟ ଥଣ୍ତାର ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ବଢିବ। ୧୭ ରୁ ୨୦ ତାରିଖ ଯାଏଁ ରାତି ତାପମାତ୍ରା ୪ ରୁ ୬ ଡିଗ୍ରୀ ବଢିବ। ଭୁବନେଶ୍ବର ସମେତ ଉପକୂଳ ଓଡି଼ଶାରେ ଆଜି ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ୧୮ ତାରିଖ ପରେ, ଏସବୁ ସ୍ଥାନରେ ଆଉ ୩ ଡିଗ୍ରୀ ବଢିବ। ୨୦ ତାରିଖ ଯାଏଁ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ଆଜି ରାତିରୁ ତାପମାତ୍ରା ୨ ଡିଗ୍ରୀ ବଢିବ। ୧୯ ତାରିଖ ରାତିରେ ଆଉ ୨ ଡିଗ୍ରୀ ବଢିବ। ୨୦ ତାରିଖ ପରେ ରାତିରେ ଆଉ ୧ ଡିଗ୍ରୀ ବଢିବ। ୨୧ ରୁ ପୁଣି ଶୀତ ଲେଉଟିବ।
ସେପଟେ,ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏଥିପାଇଁ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ଓ ବୁନ୍ଦା ବୁନ୍ଦା ବର୍ଷା ହୋଇପାରେ। ଆଜିରାତିରୁ ତାପମାତ୍ରା କ୍ରମଶଃ ବଢିବ। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତାକାଲି ଗଜପତି, ଗଂଜାମ , ପୁରୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କୋରାପୁଟ୍ ଓ କନ୍ଧମାଳରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇପାରେ।