fbpx

ହାରିବା ବାଜି ଜିତିଗଲା ଗୁଜରାଟ: ଶେଷ ଓଭରରେ କମାଲ କଲେ ମୋହିତ ଶର୍ମା, ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ପରାସ୍ତ

ଲକ୍ଷ୍ନୌ: ଆଇପିଏଲ୍ ୨୦୨୩ ର ଏକ ରୋମାଞ୍ଚକର ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ସାତ ରନରେ ପରାସ୍ତ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଥିଲା ଗୁଜରାଟ। କିନ୍ତୁ ଲକ୍ଷ୍ନୌ ମାତ୍ର ସାତୋଟି ୱିକେଟ୍ ହରାଇ ୧୨୮ ରନରେ ସୀମିତ ରହିଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟ ବିଜୟର ହିରୋ ସାଜିଥିଲେ ମୋହିତ ଶର୍ମା। ଯିଏକି ଶେଷ ଓଭରରେ ଲକ୍ଷ୍ନୌକୁ ୧୨ ରନ୍ ସ୍କୋର କରିବାକୁ ଦେଇନଥିଲେ। ଏହି ବିଜୟ ସତ୍ତ୍ୱେ ଗୁଜୁରାଟ ଟାଇଟାନ୍ସ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।

ଚାରି ବର୍ଷର ଲମ୍ବା ସମୟ ପରେ ମୋହିତ ଶର୍ମା ଆଇପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୋହିତ ଶର୍ମା ପୁର୍ବରୁ ଭାରତ ପାଇଁ ମଧ୍ୟ ଖେଳିସାରିଛନ୍ତି । ୩୪ ବର୍ଷୀୟ ମୋହିତ ୨୬ ଦିନିକିଆ ଏବଂ ୮ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ମୋଟ୍ ୩୭ ଉଇକେଟ୍ ହାସଲ କରିଛନ୍ତି ।

ତେବେ ଛୋଟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ଭଲ ଆରମ୍ଭ କରିଥିଲା । କେଲେ୍‌. ରାହୁଲ ଏବଂ କାଇଲ ମେୟର୍ସ ଓପନିଂ ଯୋଡ଼ିରେ ୫୫ ରନ୍ ସଂଗ୍ରହ କରିଥିଲେ । ରାହୁଲ ମ୍ୟାଚ୍‌ର ପ୍ରଥମ ଓଭର ମେଡେନ୍ ଖେଳିଥିଲେ । ଏହାପରେ ସେ ଦ୍ରୁତ ରନ୍ ସଂଗ୍ରହ କରି ୬୧ ବଲ୍‌ରେ ୬୮ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଏହା ଦଳ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା ।

ଶେଷ ଓଭରରେ ଲକ୍ଷ୍ନୌକୁ ଜିତିବା ପାଇଁ ୧୨ ରନ୍ ଆବଷ୍ୟକ ଥିଲା । ତେବେ ଶେଷ ଓଭର ଖୁବ୍ ରୋମାଞ୍ଚକର ରହିଥିଲା । ଏହି ଓଭରରେ ମୋହିତ ଶର୍ମା ୪ ଟି ୱିକେଟ୍ ନେଇଥିଲେ । ସେ ୨ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ୨ ରନ୍ ଆଉଟ୍ ହୋଇଥିଲେ ଏବଂ ଶେଷ ବଲରେ କୌଣସି ରନ୍ ଆସି ନଥିଲା ।

ଏହାପୂର୍ବରୁ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୬ବ ଉଇକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଗୁଜୁରାଟ ପାଇଁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଇନିଂସ ଖେଳିବାବେଳେ ୬୬ ରନ୍ ସଂଗ୍ରହ କରିଥିଲେ । ଏଥିସହିତ ରିଦ୍ଧିମାନ ସାହା ୪୭ ରନର ଇନିଂସ ଖେଳିଥିଲେ । ଲକ୍ଷ୍ନୌ ପାଇଁ ମାର୍କସ ଷ୍ଟୋଇନିସ ଏବଂ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ନବୀନ-ଉଲ-ହକ ଏବଂ ଅମିତ ମିଶ୍ରଙ୍କୁ ୧-୧ ୱିକେଟ୍ ମିଳିଥିଲା ।

Get real time updates directly on you device, subscribe now.