fbpx

କ’ଣ ହେବ ଏଥର ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଭାଗ୍ୟ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ପଡିବ କି ଭାରି

ଲକ୍ଷ୍ନୌ: ନିଜ ସରକାରକୁ ବହୁ ସମୟରେ ସମାଲୋଚନା କରୁଥିବା ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ଦଳ ଏଥର ଟିକେଟ୍ ଦେବ କି ନାହିଁ ଏହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହାରି ମଧ୍ୟରେ ଏକ ସୂତ୍ରରୁ ଖବର ମିଳୁଛି କି ବରୁଣ ଗାନ୍ଧୀ ନିର୍ଦ୍ଦଳୀୟ ନିର୍ବାଚନ ଲଢିବେ । ଯଦି ଏପରି ହେବ ତେବେ ତାଙ୍କୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉଭୟ ପକ୍ଷରୁ ସମର୍ଥନ ମିଳିବ ।

ଏବେ ବରୁଣ ଗାନ୍ଧୀ ବିଜେପି ଟିକେଟରେ ପିଲଭିଟରୁ ସାଂସଦ ଅଛନ୍ତି । ମିଳିଥିବା ସୂତ୍ରରୁ ଜଣାପଡିଛି ଏଥର ବରୁଣ ଗାନ୍ଧୀ ଆମେଥି କିମ୍ବା ସୁଲତାନପୁର ସିଟ୍‌ରୁ ନିର୍ବାଚନ ଲଢିପାରନ୍ତି । ସୁଲତାନପୁର ସିଟ୍‌ରୁ ଏବେ ତାଙ୍କ ମା’ ବିଜେପି ଟିକେଟରେ ସାଂସଦ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସେ କେନ୍ଦ୍ରରେ ମନ୍ତ୍ରୀ ବି ଥିଲେ । କିନ୍ତୁ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କୁ ମନ୍ତ୍ରୀ କରାଯାଇନାହିଁ । ଏହାପର ଠାରୁ ମେନକା ଓ ବରୁଣ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିବା ଦେଖାଯାଉଛି । ଯଦିଓ ମେନକା ଗାନ୍ଧୀଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ଜବାବ ଆସିନାହିଁ କିନ୍ତୁ ବରୁଣ ଗାନ୍ଧୀ ପ୍ରଦେଶର ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠୁଥିଲା କି କ’ଣ ୨୦୨୪ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେବ ।

ଏହାରି ମଧ୍ୟରେ ବରୁଣ ଲଗାତର ନିଜ ସଂସଦୀୟ କ୍ଷେତ୍ର ପିଲଭିଟ୍‌କୁ ଯାତ୍ରା କରିଛନ୍ତି । କିନ୍ତୁ ସେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିଁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଆଜି ଦେଶକୁ ଜଣେ ସଚ୍ଚା ନେତାଙ୍କର ଆବଶ୍ୟକତା ରହିଛି । ଏହାସହିତ ସେ ପିଲଭିଟକୁ ନିଜ ପରିବାର ବୋଲି କହିଛନ୍ତି । ତେଣୁ ୨୦୨୪ ନିର୍ବାଚନରେ ବରୁଣଙ୍କ ସ୍ଥିତିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ବିଜେପି ଏବେ ଟିକେଟ୍ ଫାଇନାଲ କରିବାରେ ବ୍ୟସ୍ତ । କିନ୍ତୁ ଚର୍ଚ୍ଚା ହେଉଛି କି ବରୁଣ ଗାନ୍ଧୀ, ମେନକା ଗାନ୍ଧୀଙ୍କ ସହିତ ମୋଟ ୬ ସିଟ୍ ରହିଛି ଯାହା ଉପରେ କେନ୍ଦ୍ରୀୟ ନେତୃତ୍ୱ ହିଁ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.