ଓଡ଼ିଶା ଭାସ୍କର: ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ ଭାଇ ଏବଂ ସାନ ଭଉଣୀଙ୍କୁ ନେଇ ଭକ୍ତର ଦୁଃଖ ବୁଝିବା ପାଇଁ ବଡ଼ ଦେଉଳରୁ ବାହାରି ଆସିଛନ୍ତି ବଡ଼ ଠାକୁର । ଚତୁର୍ଦ୍ଧାମୂରତୀଙ୍କ ବିନା ଖାଲି ପଡ଼ିଛି ରତ୍ନବେଦୀ । ପ୍ରାଣପ୍ରିୟଙ୍କ ବିରହରେ ମହାଲକ୍ଷ୍ମୀ ଶ୍ରମନ୍ଦିରରେ ଏକା ଏକା । କାଳିଆ ସାଆନ୍ତ ନାହାନ୍ତି ବୋଲି ଖାଁ ଖାଁ ପଡ଼ିଛି ବଡ଼ ଦେଉଳ । ଶୁଭୁନି ପଣ୍ଡା-ପୁରୋହିତଙ୍କ ମନ୍ତ୍ରଧ୍ୱନୀ କି ଭକ୍ତଙ୍କ ଜଣାଣ । ନୀରବ ହୋଇପଡ଼ିଛି ଶ୍ରୀମନ୍ଦିର । କିନ୍ତୁ ଏହି ମନ୍ଦିର ଭିତରୁ ଶୁଭୁଛି ଏକ ଅଜବ ଶବ୍ଦ । ଜଣେ ନାରୀଙ୍କ ପାଉଁଜିର ଶବ୍ଦ ସମସ୍ତଙ୍କୁ ଅଥୟ କରିଦେଇଛି । କିଏ ଏହି ନାରୀ? ମନ୍ଦିର ଭିତରେ ରାତିରେ କ’ଣ କରୁଛନ୍ତି ସେ?
ଏହାପଛରେ ଏକ କାହାଣୀ ଲୁଚି ରହିଛି… ସେଦିନ ବି ବଡ଼ ଦେଉଳରେ ମହାପ୍ରଭୁଙ୍କ ଅଣସର ଚାଲିଥାଏ । ଦଇତାପତି ମାନେ ଲାଗି ପଡିଥାନ୍ତି ପ୍ରଭୁଙ୍କୁ ସୁସ୍ଥ କରାଇବା ପାଇଁ । ଚିନ୍ତାରେ ମହାଲକ୍ଷ୍ମୀଙ୍କ ଅନିଦ୍ରରଜନୀ ବିତୁଥିଲା । ମଧ୍ୟରାତ୍ରିରେ ନିଜ ମନ୍ଦିର ପାହାଚ ଉପରେ ବସି ନୀଳଚକ୍ରକୁ ଚାହିଁ ରହିଥାନ୍ତି ମା’ ଲକ୍ଷ୍ମୀ । ଏତିକିବେଳେ ହଠାତ୍ ଏକ ଶବ୍ଦ ଶୁଣି ଚମକି ଉଠିଲେ ଲକ୍ଷ୍ମୀ ସାଆନ୍ତାଣୀ, ମନ୍ଦିରରେ କାହା ପାଉଁଜିର ରୁଣୁ ଝୁଣୁ ଶବ୍ଦ ତାଙ୍କୁ ଅଥୟ କରିଦେଲା । ଏତେ ରାତ୍ରୀରେ ମନ୍ଦିର ଭିତରେ କିଏ ବୋଲି ପ୍ରଶ୍ନ କରି ମାଆ ଲକ୍ଷ୍ମୀ, ପହରାରେ ଥିବା ମା’ ବେଢାକାଳୀଙ୍କୁ ସ୍ମରଣ କଲେ, ଏତେ ରାତିରେ ଏ ପାଉଁଜି ଶଦ୍ଦ କୁଆଡୁ ଆସୁଛି ବୋଲି ଦେଖିବାକୁ ଆଦେଶ ଦେଲେ ବଡ଼ ଦେଉଳର ପାଟରାଣୀ ।
ବେଢ଼ାକାଳୀ ଦେଖନ୍ତି ତ ଜଣେ ଦିବ୍ୟ ବସନା ନାରୀ ସାତ ପାହଚ ଡେଇଁ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ଖଡ୍ଗ ଉତ୍ତୋଳନ କରି ମାଆ ପଚାରିଲେ, କହ ତୁ କିଏ ? ମନ୍ଦିରରେ ସମସ୍ତେ ଶୋଇଲେଣି, ତୁ କୁଆଡେ଼ ଆସିଛୁ । ଶୀଘ୍ର କହ ନହେଲେ ଏହି ତୀକ୍ଷ୍ଣ ଖଡ୍ଗରେ ତୋ ମସ୍ତକ ଛେଦନ କରିବି । ନାରୀ ଜଣକ କହିଲେ, ମାଆ ! ତୁମେ ରାଗ ନାହିଁ । ମୁଁ ହେଉଛି ତୁଳସୀ । ମୋତେ ମହାପ୍ରଭୁ ଡାକିଛନ୍ତି । ମୁଁ ତାଙ୍କୁ ଦେଖା କରିବାକୁ ଯାଉଛି । ମା’ ବେଢାକାଳୀ ଓ ତୁଳସୀଙ୍କ ବଚସା ଶୁଣି, ମହାଲକ୍ଷ୍ମୀ ଆସି ପହଁଚିଲେ । ମା’ ଲକ୍ଷ୍ମୀ ତାଙ୍କୁ ଦେଖି ଚିହ୍ନି ନେଇ କହିଲେ, ତୁଳସୀ ! ତୁମେ ଏତେ ରାତିରେ କୁଆଡ଼େ ? ମହାପ୍ରଭୁ ତ ଭୀଷଣ ଜ୍ୱରରେ ଶୋଇଛନ୍ତି । ତୁମେ କ’ଣ ଜାଣିନାହଁ ଏବେ ତାଙ୍କ ଦର୍ଶନ ବର୍ଜିତ ବୋଲି ?
ଏହାପରେ ତୁଳସୀ ହାତଯୋଡ଼ି କହିଲେ, ସାଆନ୍ତାଣୀ ! ତୁମେ ରାଗୁଛ କାହିଁକି, ମତେ ପରା ମହାପ୍ରଭୁ ଡାକିଛନ୍ତି । ସେଥିପାଇଁ ମୁଁ ଆସିଛି ତାଙ୍କ ପାଖକୁ ଯିବି । ଏହି ସମୟରେ ପତି ମହାପାତ୍ରେ ସୋଂରେ ପହଞ୍ଚି ଲକ୍ଷ୍ମୀଙ୍କୁ ବୁଝାଇ କହିଲେ, ହଁ ମାଆ ! ମହାପ୍ରଭୁ ତୁଳସୀଙ୍କୁ ଡାକିଛନ୍ତି କ୍ଷ ସେ ନଗଲେ ମହାପ୍ରଭୁ ସୁସ୍ଥ ହେବେ କିପରି ?ସେ ଦିନ ଥାଏ, ଅଣସରର ଏକାଦଶ ଦିବସ । ପତି ମହାପାତ୍ରଙ୍କ ସଙ୍ଗେ ତୁଳସୀ ଦେବୀ ଭିତରକୁ ଯାଇ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବାରୁ ପ୍ରଭୁଙ୍କ ଶରୀର ପୁଲକିତ ହେଲା । ମହାପ୍ରଭୁ ସୁସ୍ଥ ଅନୁଭବ କଲେ । ମହାପ୍ରଭୁଙ୍କ ସେବାରେ ଲାଗି ହେବାରୁ ସେହିଦିନରୁ ତୁଳସୀ ଧନ୍ୟ ହେଲେ ।
ଏପଟେ ତୁଳସୀଙ୍କ କଥା ଭାଳି ମହାଲକ୍ଷ୍ମୀ ଅଭିମାନ କରି, ଲୁହ ଗଡ଼ାଇ କହୁଥାନ୍ତି, ମୁଁ ମହାପ୍ରଭୁଙ୍କ ପାଟରାଣୀ । ମୋର କଅଣ ପ୍ରଭୁଙ୍କ ଅଣସର ସେବାରେ କୌଣସି ଅଧିକାର ନାହିଁ । ମୁଁ ଥାଉଁ ଥାଉଁ ତୁଳସୀକୁ ପ୍ରଭୁ କେଉଁ ନ୍ୟାୟରେ ଏତେ ଉଚ୍ଚ ଆସନ ଦେଲେ । ମୁଁ କଅଣ ଖାଲି ଏ ମନ୍ଦିର ଜଗୁଆଳି ବୋଲି ଅଭିମାନ କଲେ ଅନ୍ନଦାତ୍ରୀ । ଏତିକିବେଳେ ମା’ ସରସ୍ଵତୀ ପହଞ୍ଚି ମହାଲକ୍ଷ୍ମୀଙ୍କୁ ସ୍ମରଣ କରାଇ ଦେଲେ ସତ୍ୟ ଯୁଗର ସେହି ମାଆ ବୃନ୍ଦାବତୀଙ୍କ କଥା । ସରସ୍ୱତୀ କହିଲେ, ମହାପ୍ରଭୁ ନିଜ କୃତ କର୍ମର ପ୍ରାୟଶ୍ଚିତ ପାଇଁ, ତୁଳସୀଙ୍କୁ ଏହି ଅଧିକାର ଦେଇଛନ୍ତି ।