fbpx
BJD SKY
BJD SKY

ମଧ୍ୟପ୍ରଦେଶ କ୍ୟାବିନେଟ ସଂପ୍ରସାରଣ ଅଗଷ୍ଟ ୨୬ରେ: ଅନେକ ବିଧାୟକଙ୍କ ନିକଟକୁ ଗଲା ସିକ୍ରେଟ୍ ଫୋନ୍ କଲ୍

BJD

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଦେଖିବାକୁ ମିଳିଛି । ଶାସକ ବିଜେପି ଓ ବିରୋଧୀ ମେଣ୍ଟ ପକ୍ଷରୁ ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିରୋଧୀମାନେ ତୁହାକୁ ତୁହା ବୈଠକର ଆୟୋଜନ କରୁଥିବା ବେଳେ ବିଜେପି ମଧ୍ୟ ବିଭିନ୍ନ ରାଜ୍ୟରେ ତା’ର ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛି ।

ତେବେ ଏହା ମଧ୍ୟରେ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ଭାଜପା ଏହି ସମସ୍ତ ରାଜ୍ୟ ଦଖଲ ପାଇଁ ନୂଆ ରଣନୀତି ପ୍ରୟୋଗ କରିଦେଇଛି । ଏପରି ଭାବେ ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହୋଇପାରେ । ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିଥିବା ବେଳେ ବିଜେପି ପରାଜୟ ବରଣ କରିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ପଦ ନ ମିଳିବାରୁ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାତ ଛାଡ଼ି ପଦ୍ମ ଧରିଥିଲେ ।

ତେବେ ସିନ୍ଧିଆଙ୍କ କିଛି ସହଯୋଗୀ ବିଧାୟକ ବିଜେପିରେ ସାମିଲ ହେବା ଫଳରେ କଂଗ୍ରେସର କମଲନାଥଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା । ଏହାପରେ ପୁନର୍ବାର ଶିବରାଜ ସିଂହ ଚୌହ୍ୱାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଖବର ମୁତାବକ, ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କ୍ୟାବିନେଟ ସଂପ୍ରସାରଣ ହେବ । ଅଗଷ୍ଟ ୨୬ ତାରିଖ ସକାଳ ୯ଟା ସମୟରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଯେଉଁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ସେମାନଙ୍କୁ ସକାଳେ ରାଜଭବନରେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.