fbpx

ଏକ୍ସପାରୀ ଡେଟ ଚାଲିଯାଇଥିବା ଜୁସ୍ ପିଇବା ପରେ ୭୦ ସ୍କୁଲ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି: କାହାର ବାନ୍ତି ହେଲା ତ ଆଉ କାହାର ପେଟ ଯନ୍ତ୍ରଣା

ନୂଆଦିଲ୍ଲୀ: ଅଅନେକ ସମୟରେ ଖାଦ୍ୟ ପଦାର୍ଥ ସେବନ କରିବା ପରେ ଫୁଡ ପଏଜନିଂ, ଖାଦ୍ୟରେ କୌଣସି ଜୀବଜନ୍ତୁ ପଡ଼ିବା ବା ଅନ୍ୟ କୌଣସି କାରଣରୁ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥାଏ । ତେବେ ସ୍କୁଲରେ ଜୁସ ପିଇବା ପରେ ଅନେକ ଛାତ୍ରଛାତ୍ରୀଙ୍କ ଅବସ୍ଥା ଅଚାନକ ବିଗିଡ଼ି ଯାଇଛି । କିଛି ଛାତ୍ରଛାତ୍ରୀଙ୍କର ବାନ୍ତି ହେବା ସହିତ ଆଉ କିଛି ଛାତ୍ରଛାତ୍ରୀଙ୍କର ପେଟ ଯନ୍ତ୍ରଣା ହୋଇଥିଲା । ଫଳରେ ସମସ୍ତଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଦିଲ୍ଲୀରୁ ଆସିଛି ଏଭଳି ଏକ ଖବର । ଦିଲ୍ଲୀର ଦ୍ୱାରକା ସେକ୍ଟର-୭ ସ୍ଥିତ ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନଭୋଜନରେ ଜୁସ ପିଇବା ଫଳରେ ୭୦ ଜଣ ପିଲାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ସବୁ ପିଲାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପିଲାମାନେ ସେବନ କରିଥିବା ଜୁସ ଏକ୍ସପାରୀଡେଟ୍ ହୋଇଯାଇଥିବା ଜଣାପଡ଼ିଛି । ତେଣୁ ତାହାକୁ ପିଇବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ।

ପଞ୍ଚମ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀର ପିଲାମାନେ ଏହି ଜୁସ୍ ପିଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ପିଲାମାନଙ୍କୁ ଡିଡିୟୁ ହସ୍ପିଟାଲ ଓ ଡାବଡ଼ି ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ସରକାର ମିଡ-ଡେ ମିଲ ପ୍ରଦାନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.