fbpx

ପଟିଗୁଡ଼ାରେ ପଟି ମାରିଦେଲେ ତହସିଲଦାର, ଏନଜିଟି ନିୟମ ଉଲ୍ଲଂଘନ

ଓଡ଼ିଶା ଭାସ୍କର ବ୍ୟୁରୋ: ନିୟମ ଭାଙ୍ଗିଲେ ଆଉ ବାଲି ପଥର ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଅନୁମତି ଦେଇଦେଲେ । ପଟିଗୁଡ଼ାରେ ଏମିତି ପଟି ମାରିଦେଇଛନ୍ତି ସାନଖେମୁଣ୍ଡି ତହସିଲଦାର । ଏହାପରେ ହରଡ଼ଘଣାରେ ପଡ଼ିଛନ୍ତି । ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ଗାଇଡ୍ ଲାଇନ ନମାନି ନିୟମ ଉଲଘଂନ ପୂର୍ବକ ମାଫିଆ ହାତକୁ ଟେକି ଦେଇଛନ୍ତି ଖଣି । ଏଭଳି ଅଭିଯୋଗ କରିବା ସହ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ପଟିଗୁଡ଼ା ଗ୍ରାମବାସୀ । ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନଜିଟି ଚିଠି ଦେବା ପରେ ତହସିଲଦାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଂଘନ କରି ବାଲି ଉତ୍ତୋଳନ ଓ ପଥରକୁଆଁରୀରୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସାନଖେମୁଣ୍ଡି ତହସିଲର ପଟିଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗତ କିଛି ବର୍ଷ ଧରି ରାଜସ୍ୱ ବିଭାଗର ଲଘୁଜାତ ଖଣିଜ ସମ୍ପଦ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଲିଜ ଧାରୀଙ୍କୁ ସଇରାତ ଟେକି ଦେବା ପୂର୍ବରୁ ଗାଇଡ ଲାଇନ ମାନୁନାହାନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ଓ ପରିବେଶ ମଞ୍ଜୁରୀ ଅଛି କି ନାହିଁ, ତାହା ଯାଞ୍ଚ କରିବା ସହ ଅଞ୍ଚଳବାସୀଙ୍କ ମତାମତ ନେବା ଦରକାର । ସେହିପରି ପଲ୍ଲୀ ସଭା ସହମତି ପରେ ବାଲି ଓ ପଥର ଉତ୍ତୋଳନ ନିର୍ଦ୍ଦେଶ ଦେଇ ପାରିବ ରାଜସ୍ୱ ବିଭାଗ । କିନ୍ତୁ ସାନଖେମୁଣ୍ଡି ପଟିଗୁଡ଼ା ପଥର କୁଆଁରୀ ଲିଜ ଦେବା ପୂର୍ବରୁ ଗ୍ରାମବାସୀଙ୍କ ମତାମତ ନିଆଯାଇନି । ପଥର ମାଫିଆଙ୍କୁ ସିଧାସଳଖ ଟେକି ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ତହସିଲଦାର ଜଣେ ନିର୍ଦ୍ଦିଷ୍ଟ ମାଫିଆଙ୍କୁ ଟେକି ଦେଲେ ଏହି ପଥର ସଇରାତ? ଗ୍ରାମବାସୀଙ୍କ ସମେତ ଏନଜିଟିରେ ଏତଲା ଦେଇଥିବା ପିଟିସନର ଉଠାଇଛନ୍ତି ଏହି ପ୍ରଶ୍ନ ।

ପଟିଗୁଡ଼ା ଗାଁରୁ କିଛି ଦୂରରେ ଥିବା ପଥର କୁଆଁରୀରେ ହୁକୁମତ ଜମାଇଛନ୍ତି ମାଫିଆ । ଦିନ ରାତି ମନ ଇଛା ପଥର ବ୍ଲାଷ୍ଟିଙ୍ଗ କରୁଛନ୍ତି । ଏନେଇ ତହସିଲ ଓ ଜିଲ୍ଲା ପ୍ରଶାସନ ସମେତ ପୋଲିସ ନିକଟରେ ଗୁହାରୀ କରିଛନ୍ତି ଗ୍ରାମବାସୀ । କିନ୍ତୁ କୌଣସି ସୁଫଳ ମିଳିନି । ଫଳରେ ବାଧ୍ୟହୋଇ ଏନଜିଟି ଦ୍ୱାରସ୍ତ ହେଲେ ବୋଲି ଶତ୍ରୁଘନ ଜେନା ମତ ଦେଇଛନ୍ତି । ତେବେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.