fbpx

ପୁଣି ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଜୁଲାଇ ୨୪ରୁ ସବୁ କାରବାର ବନ୍ଦ ହେଲା, ଚିନ୍ତାରେ ଜମାକାରୀ

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଭଳି ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ଚଳିତ ମାସରେ ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯିବା ସହିତ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ ।

ତେବେ ଏହା ମଧ୍ୟରେ ପୁଣି ଏକ ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଜମାକାରୀମାନେ ଜମା ବୀମା ଓ ଋଣ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ଠାରୁ ୫ ଲକ୍ଷ ପର୍ଯ୍ୟନ୍ତ ଅର୍ଥରାଶି ଦାବି କରିପାରିବେ । ଜୁଲାଇ ୨୪ ତାରିଖଠାରୁ ଏହି ବ୍ୟାଙ୍କରେ କାରବାର ବନ୍ଦ କରାଯାଇଛି । ଆସାମର ତେଜପୁର ସ୍ଥିତ ମହାଭୈରବ ସହବାୟ ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିଦିଆଯାଇଛି । ଖରାପ ଆର୍ଥିକ ସ୍ଥିତି କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟାଙ୍କକୁ ବନ୍ଦ କରିବା ଓ ପରିସମାପକ ନିଯୁକ୍ତି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି ।

ଗ୍ରାହକମାନେ ସେମାନଙ୍କର ଜମା ଅର୍ଥର ପାଖାପାଖି ୯୯.୮ ପ୍ରତିଶତ ଅର୍ଥ ଡିଆଇସିଜିସି ଠାରୁ ପ୍ରାପ୍ତ କରିପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆରବିଆଇ ନିୟମିତ ସମୟ ବ୍ୟବଧାନରେ ବ୍ୟାଙ୍କଗୁଡ଼ିକର ସ୍ଥିତି ସମୀକ୍ଷା କରିଥାଏ । ଖରାପ ଆର୍ଥିକ ସ୍ଥିତି, ନିୟମ ଉଲ୍ଲଂଘନ ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

Get real time updates directly on you device, subscribe now.