ମୁହଁରେ ବସୁଥିଲେ ମାଛି, କଥା କହିବାକୁ ଦେହରେ ନ ଥିଲା ବଳ; ଏମିତି ଥିଲା ପାକିସ୍ତାନ ପ୍ରତିଷ୍ଠାତା ଜିନ୍ନାଙ୍କ ଶେଷ ସମୟ

ମୃତ୍ୟୁ ବେଳକୁ ଭଉଣୀ କେବଳ ଥିଲେ ପାଖରେ । ଡାକ୍ତର ବି ଆଶା ଛଡ଼ାଇ ଦେଇଥିଲେ ।

ନୂଆଦିଲ୍ଲୀ: ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି, ଯାହାକୁ “ୟୁମ୍-ଏ-ଆଜାଦୀ” କୁହାଯାଏ। ଏହା ସେହି ଐତିହାସିକ ମୁହୂର୍ତ୍ତ ଯେତେବେଳେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ହୋଇଥିଲା।

୧୯୪୭ ମସିହାରେ ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ସହିତ ପାକିସ୍ତାନର ଜନ୍ମ ହୋଇଥିଲା। ଏହି ଦିନଟି କେବଳ ଏକ ରାଜନୈତିକ ଘଟଣା ନଥିଲା, ବରଂ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ ଏବଂ ସଂଘର୍ଷର ପ୍ରଭାବ ଥିଲା।

ମହମ୍ମଦ ଅଲି ଜିନ୍ନାଙ୍କୁ ପାକିସ୍ତାନର ପ୍ରତିଷ୍ଠାତା ଭାବରେ ଜଣାଶୁଣା। ପାକିସ୍ତାନକୁ ଏକ ପୃଥକ ଦେଶ କରିବାରେ ଜିନ୍ନାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଆସନ୍ତୁ ଜାଣିବା ଧର୍ମ ଆଧାରରେ ପାକିସ୍ତାନ ଗଠନ କରିଥିବା ଜିନ୍ନା କେତେ ନିର୍ଦୟ ଭାବରେ ମୃତ୍ୟୁବରଣ କରିଥିଲେ।

ଚେନ୍ ସ୍ମୋକର

ମହମ୍ମଦ ଅଲି ଜିନ୍ନା ଜଣେ ଧାର୍ମିକ ଅପେକ୍ଷା ଅଧିକ ରାଜନୈତିକ ମୁସଲମାନ ଥିଲେ, ଯାହା ତାଙ୍କ ଜୀବନଶୈଳୀରେ ଦେଖାଯାଉଥିଲା। ଧୁମ୍ରପାନ ମଧ୍ୟ ଜିନ୍ନାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା।

ଜିନ୍ନା ଜଣେ ଚେନ୍ ସ୍ମୋକର ଥିଲେ ଏବଂ ପ୍ରତିଦିନ ପ୍ରାୟ ୫୦ଟି ସିଗାରେଟ୍ ଟାଣିଥିଲେ। ୧୯୩୫ ମସିହାରେ ସେ ଯେତେବେଳେ ଲଣ୍ଡନରୁ ଭାରତ ଫେରିଥିଲେ, ସେତେବେଳେ ଅସୁସ୍ଥ ହୋଇ ସାରିଥିଲେ।

ଗତ ୫୦ ବର୍ଷ ମଧ୍ୟରେ ନିରନ୍ତର ସିଗାରେଟ୍ ଏବଂ ସିଗାର ଟାଣିବା ଯୋଗୁଁ ଜିନ୍ନାଙ୍କ କାଶ ବହୁତ ବଢ଼ି ଯାଇଥିଲା। କାଶ ସମୟରେ କଫ ଏବଂ ରକ୍ତ ବାହାରୁଥିଲା। ଏହା ସହିତ ଶରୀରରେ ଫୋଟକା ଦେଖାଯାଉଥିଲା; ଜ୍ୱର ସହିତ ଦୁର୍ବଳତା ଲାଗିରହିଥିଲା।

ଅବସ୍ଥା ବିଗିଡ଼ିଗଲା

ଜିନ୍ନାଙ୍କ ଅସୁସ୍ଥତାର ଗୁପ୍ତ କଥା ଗୁପ୍ତ ରଖିଥିଲେ। ଜିନ୍ନାଙ୍କ ସହିତ ଛାଇ ପରି ରହୁଥିବା ତାଙ୍କ ଭଉଣୀ ଫାତିମା ତାଙ୍କ ଭାଇକୁ ଡାକ୍ତରଙ୍କ ପାଖକୁ ନେଇଗଲେ, ଡାକ୍ତର ଜାଣିବାକୁ ପାଇଲେ ଯେ ଜିନ୍ନାଙ୍କ ଯକ୍ଷ୍ମା ହୋଇଛି।

ଜିନ୍ନାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲା। ୧୯୪୮ ମସିହା ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୪:୧୫ ହୋଇଥିଲା। ସେହି ସମୟରେ ମୌରୀପୁର ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଅବତରଣ କରିଥିଲା। ଅସୁସ୍ଥ ଥିବା ଏବଂ ଶେଷ ନିଶ୍ୱାସ ଗଣୁଥିବା ଜିନ୍ନା ଏହି ବିମାନରେ ଥିଲେ।

ମୁହଁ ଉପରେ ମାଛି ଉଡୁଥିଲା

ସେଦିନ କେବଳ ଜଣେ ସାମରିକ ଅଧିକାରୀ ତାଙ୍କୁ ନେବାକୁ ଆସିଥିଲେ। ତାଙ୍କୁ ଏକ ଷ୍ଟ୍ରେଚରରେ ବିମାନରୁ ଓହ୍ଲାଇ ସିଧା ଏକ ସାମରିକ ଆମ୍ବୁଲାନ୍ସରେ ରଖାଯାଇଥିଲା, ଯାହା କରାଚୀ ଆଡ଼କୁ ଧୀରେ ଧୀରେ ଗତି କରୁଥିଲା।

ଯାତ୍ରା ମାତ୍ର 30 ମିନିଟ୍ ଥିଲା, କିନ୍ତୁ ଯାତ୍ରାର ଅଧା ସମୟରେ ଆମ୍ବୁଲାନ୍ସ ହଠାତ୍ ବନ୍ଦ ହୋଇଗଲା କାରଣ ଏଥିରେ ପେଟ୍ରୋଲ ସରିଯାଇଥିଲା। ଜିନ୍ନା ଷ୍ଟ୍ରେଚରରେ ଶୋଇଥିଲେ ଏବଂ ମାଛି ତାଙ୍କ ମୁହଁ ଉପରେ ଉଡୁଥିଲେ।

ମୃତ୍ୟୁ ପାଖେ ଆସୁଥିଲା

ମହମ୍ମଦ ଅଲି ଜିନ୍ନା ପୂର୍ବରୁ ବହୁତ ଅସୁସ୍ଥ ଥିଲେ, ଏବଂ ତା ଉପରେ ଗରମ ତାଙ୍କୁ ଆହୁରି ଦୁର୍ବଳ କରିଦେଇଥିଲା। ତାଙ୍କ ପାଖରେ ବସିଥିବା ଭଉଣୀ ଫାତିମା ଏବଂ ନର୍ସ ଡନହାମ ତାଙ୍କୁ ପାଳି କରି ପଙ୍ଖା ବଜାଇ ଦେଉଥିଲେ ଯାହା ଦ୍ୱାରା ସେ ଗରମରୁ କିଛି ଆରାମ ପାଇପାରିବେ।

ଦ୍ୱିତୀୟ ଆମ୍ବୁଲାନ୍ସ ପାଇଁ ଅପେକ୍ଷା ଲମ୍ବା ହୋଇଯାଉଥିଲା, ଏବଂ ପ୍ରତ୍ୟେକ ବିତିଯାଇଥିବା ମିନିଟ୍ ଜିନ୍ନାକୁ ଜୀବନରୁ ଆହୁରି ଦୂରକୁ ଠେଲି ଦେଉଥିଲା। ବହୁତ ସମୟ ଅପେକ୍ଷା କରିବା ପରେ, ଆଉ ଏକ ଆମ୍ବୁଲାନ୍ସ ଆସିଲା ଏବଂ ଜିନ୍ନାକୁ ଗଭର୍ଣ୍ଣର ଜେନେରାଲଙ୍କ ବଙ୍ଗଳାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଚିକିତ୍ସ୍ୟା କରିଥିଲେ କିନ୍ତୁ ବଂଚିବାର ଆଶା କାମ ଥିବା କହିଥିଲେ।

ଦେହାନ୍ତ ହେଲା

ଡାକ୍ତରମାନେ ସେଠାରୁ ଚାଲିଗଲେ ଏବଂ ମହମ୍ମଦ ଅଲି ଜିନ୍ନାଙ୍କ ଭଉଣୀ ତାଙ୍କ ପାଖରେ ଶୋଇ ରହିଲେ। ପ୍ରାୟ ଦୁଇ ଘଣ୍ଟା ପରେ, ସେ ଆଖି ଖୋଲିଲେ, ତାଙ୍କ ଭଉଣୀଙ୍କୁ ତାଙ୍କ ପାଖରେ ଡାକିଲେ ଏବଂ ଧୀର ସ୍ୱରରେ ତାଙ୍କର ଶେଷ କଥା କହିଲେ – ‘ଫତି, ଖୁଦା ହାଫିଜ୍ ଲା ଇଲାହା ଇଲ୍ଲାଲ୍ଲା..ମହମ୍ମଦ..ରସୁଲ..ଆଲ୍ଲା।’ ଏହା କହିବା ପରେ, ତାଙ୍କର ଆଖି ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା।