ବଦଳିଯିବ ଅବଢ଼ାର ସ୍ୱାଦ! ଜୌବିକ ଚାଉଳରେ ତିଆରି ହେବ ଅବଢ଼ା, ଗଠନ ହେବ କମିଟି

ଖୁବଶୀଘ୍ର ଜୈବିକ ଚାଉଳରେ ତିଆରି ହେବ ଅବଢ଼ା । ରାଜ୍ୟରେ ବଢ଼ିବ ଗୋବଂଶ ।

ଭୁବନେଶ୍ୱର: ମହାପ୍ରସାଦ ହେବ ରସାୟନ ମୁକ୍ତ । ଏ ନେଇ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଯାଇଛି । ଅମୃତ ଅନ୍ନ ନାମରେ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଯେଉଁଥିରେ ଜୈବିକ ଅନ୍ନରେ ମହାପ୍ରସାଦ ତିଆରି ହେବ ଏବଂ ଆନନ୍ଦ ବଜାରରେ ଏହି ଅନ୍ନ ଭକ୍ତଙ୍କୁ ପରସାଯିବ ।

ଏନେଇ ସରକାରଙ୍କ ତରଫରୁ ଏକ ପରିଚାଳନା କମିଟି ଗଠନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ, ସୁଆର ମହାସୁଆର ନିଯୋଗ ପ୍ରତିନିଧି ଏହି କମିଟିର ସଦସ୍ୟ ରହିବେ ।

ରାଜ୍ୟରେ ଉତ୍ପାଦନ କରାଯାଉଥିବା ଜୈବିକ ଧାନ ଅମୃତ ଅନ୍ନ ମହାପ୍ରସାଦରେ ବ୍ୟବହାର କରାଯିବ । ପ୍ରତ୍ୟେକ ଦିନ ୫୦ରୁ ୬୦ କ୍ୱିଣ୍ଟାଲ ଚାଉଲ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବାବେଳେ ବିଶେଷ ଦିନମାନଙ୍କରେ ଏହି ଚାଉଳର ପରିମାଣ ବଢ଼ି ୧୫୦ରୁ ୨୦୦ କ୍ୱିଣ୍ଟାଲ କରାଯାଏ ।

ଅମୃତ ଅନ୍ନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ମହାପ୍ରସାଦକୁ ରସାୟନମୁକ୍ତ କରିବା । ଏହି ଧାନରେ ଆଦୌ ରସାୟନିକ ସାର ବ୍ୟବହାର କରାଯିବ ନାହିଁ । କେବଳ ଗୋବର ଖତ, କମ୍ପୋଷ୍ଟର ବ୍ୟବହାର କରାଯିବ । ଏହାଦ୍ୱାରା ରାଜ୍ୟରେ ଗୋବଂଶ ବୃଦ୍ଧି ଘଟିବ ।