fbpx

ନଭେମ୍ବର ୩୦ରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ, ଯୋଗ ଦେବେ ଦେଶ- ବିଦେଶର ବହୁ ପୁଞ୍ଜିପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରର ପୁଞ୍ଜିପତିମାନେ ଯୋଗ ଦେବେ । ଏ ନେଇ ଗୁରୁବାର ଇପିକଲ ଓ ଫିକି ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏମ୍‌ଓୟୁ ସ୍ୱାକ୍ଷର ସମୟରେ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପବିଭାଗ ପ୍ରମୁଖ ଶାସନସଚିବ ହେମନ୍ତ ଶର୍ମା, ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଚଳିତବର୍ଷ ଏହି କନକ୍ଲେଭର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ଆଶାକୁ ଅତିକ୍ରମ କରିବା ଓ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବା । ଓଡ଼ିଶାର ପ୍ରାକୃତିକ ସମ୍ପଦ ଏବଂ ଇକୋ ସିଷ୍ଟମ ସୁବିଧା ଯୋଗୁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ରଗୁଡ଼ିକର ଶିଳ୍ପପାଇଁ ପସନ୍ଦର ସ୍ଥାନ ପାଲଟିଛି ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ଏଥି ପୂର୍ବରୁ ୨୦୧୬ରେ ପ୍ରଥମ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହୋଇଥିଲା । ଏଥିରେ ୨ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା । ପ୍ରାୟ ୫ ହଜାରରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ ।

ସେହିଭଳି ୨୦୧୮ରେ ହୋଇଥିବା କନକ୍ଲେଭରେ ୪ଲକ୍ଷ ୧୯ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ କରି ଆସୁଥିବାବେଳେ ରାଜ୍ୟକୁ କିଭଳି ଅଧିକ ପୁଞ୍ଜି ତି ଆସିବେ ସେ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Get real time updates directly on you device, subscribe now.