ଖର୍ଚ୍ଚ କମ୍ ଫାଇଦା ଅନେକ…ଘରେ ପ୍ରସ୍ତୁତ କରନ୍ତୁ ଟୋନର, ଉଜ୍ଜ୍ୱଳ ଦିଶିବ ଚେହେରା

ଓଡ଼ିଶା ଭାସ୍କର: ଆଜିକାଲି ଧାଁ ଦୌଡ଼ ଜୀବନରେ ପ୍ରଦୂଷଣ ଯୋଗୁଁ ତ୍ୱଚାରେ ଶୀଘ୍ର ବୟସର ଛାପ ଦେଖାଯାଇଥାଏ । ଏଥିପାଇଁ ଅଧିକାଂଶ ବ୍ୟକ୍ତି ବଜାରରେ ମିଳୁଥିବା ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିଥାନ୍ତି । ପ୍ରାୟତଃ ଏହା କେମିକାଲଯୁକ୍ତ ହୋଇଥିବାରୁ କିଛି ଲୋକଙ୍କୁ ଆଲର୍ଜୀ ହୋଇଥାଏ । ଏଥିମଧ୍ୟରୁ ଟୋନର ଅନ୍ୟତମ । ଫେଶ୍ ୱାଶ୍ କରିବା ପରେ ଟୋନର ବ୍ୟବହାର କରାଯାଇଥାଏ । ଫଳରେ ତ୍ୱଚାରେ ଥିବା ଅବଶିଷ୍ଟ ମଇଳାକୁ ଟୋନର ଦୂର କରିଥାଏ । ଟୋନର କେବଳ ତ୍ୱଚାର ମଇଳାକୁ ନୁହେଁ ବରଂ ଅତ୍ୟାଧିକ ତୈଳ ଏବଂ ଓପେନ୍ ପେର୍ସକୁ ହଟାଇବାରେ ସହାୟକ ହୋଇଥାଏ । ନିୟମିତ ଟୋନର ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ । ଫଳରେ ତ୍ୱଚାର ପିଏଚ୍ ସ୍ତର ସନ୍ତୁଳିତ ରହିଥାଏ ।

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ସମୟରେ ନିଜ ତ୍ୱଚାର ଚମକ ଦ୍ୱିଗୁଣିତ କରିବା ପାଇଁ ଘରେ ପ୍ରାକୃତିକ ଟୋନର ପ୍ରସ୍ତୁତ କରିପାରିବେ । ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇନଥାଏ ।

୧. ଅଧ କପ୍ ଏଲୋଭେରା ଜେଲ ଏବଂ କିଛି ଗୋଲାପ ଜଳ ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ଆପଣ ଚାହିଁଲେ ଏହାକୁୁ ଫ୍ରିଜରେ ରଖି ସପ୍ତାହରେ ୩-୪ ଥର ବ୍ୟବହାର କରିପାରିବେ ।

୨. କାକୁଡ଼ି ରସ ଏବଂ ଏଲୋଭେରା ଜେଲ ମିଶ୍ରଣରେ ପ୍ରସ୍ତୁତ ଟୋନର ଉତ୍ତମ ଅଟେ ।

୩. କିଛି ନିମ ପତ୍ର(୬-୭)କୁ ପାଣିରେ ଫୁଟାନ୍ତୁ । ଅଧଘଣ୍ଟା ପରେ ଏହାକୁ ଥଣ୍ଡା କରି ଏକ ଶିଶିରେ ରଖନ୍ତୁ । ଫ୍ରିଜରେ ମଧ୍ୟ ଏହାକୁ ରଖିପାରିବେ । ଆପଣ ଚାହିଁଲେ ଏଥିରେ ଆପଲ ସାଇଡର ଭିନେଗାର ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ନିମରେ ଥିବା ଔଷଧୀୟ ଗୁଣ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ ।

୪. ଗୋଲାପ ଜଳ ଏବଂ ଆପଲ ସାଇଡର ମିଶାଇ ମଧ୍ୟ ଟୋନର ପ୍ରସ୍ତୁତ କରିପାରିବେ ।

୫. ଶୁଷ୍କ ତ୍ୱଚା, ବ୍ରଣ ଦାଗ ହଟାଇବା ପାଇଁ ରାଇସ୍‌(ଚାଉଳ)ଟୋନର ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ ୧ କପ୍ ଚାଉଳକୁ ଅଳ୍ପ ପାଣିରେ ୫-୬ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ପରେ ଏହାକୁ ଛାଣି ଏକ ଶିଶିରେ ଭର୍ତ୍ତି କରନ୍ତୁ । ଏହାକୁ ନିୟମିତ ସ୍ପ୍ରେ କିମ୍ବା ତୁଳା ସାହାଯ୍ୟରେ ଅଳ୍ପ ନେଇ ବ୍ୟବହାର କରନ୍ତୁ ।

୬. ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗ୍ରୀନ୍ ଟି ଯାହା ତ୍ୱଚାକୁ ମଇଶ୍ଚର ଲକ୍ କରିଥାଏ । ଏହା ବ୍ୟତୀତ ତ୍ୱଚାରୁ ଅତ୍ୟାଧିକ ତୈଳ ହ୍ରାସ କରବା ସହ ଫ୍ରି ରେଡିକାଲ୍ସରୁ ଦୂରେଇ ରଖିଥାଏ । ଗ୍ରୀନ୍ ଟି ଟୋନର ପାଇଁ ୨ଟି ଗ୍ରୀନ୍ ଟି ବ୍ୟାଗ୍ ନିଅନ୍ତୁ । ଗୋଟିଏ କପ୍ ପାଣିରେ ଏହାକୁ ମିଶାଇ ଫୁଟାନ୍ତୁ । ଥଣ୍ଡା ହେଲା ପରେ ଏହାକୁ ଶିଶିରେ ଭର୍ତ୍ତି କରନ୍ତୁ କିମ୍ବା ତୁଳା ସାହାଯ୍ୟରେ ବ୍ୟବହାର କରନ୍ତୁ ।

 

Get real time updates directly on you device, subscribe now.