fbpx

ମାଲକାନଗିରି ବାର ଆସୋସିଏସନ ପକ୍ଷରୁ ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା ।

ମାଲକାନଗିରି, 28/3: ମାଲକାନଗିରି ବାର ଆସୋସିଏସନ ତରଫରୁ ଗତକାଲି ଥିଲା ନିର୍ବାଚନ। ଗତକାଲି ସକାଳୁ ହିଁ ନିର୍ବାଚନର ଉଷ୍ମତା ଦେଖିବାକୁ ମିଳିଥିଲା। ନିର୍ବାଚନରେ ମୋଟ ୯୪ ଜଣ ଓକିଲ ନିଜର ମତଦାନ କରିଥିଲେ। ତେବେ ସଭାପତି ପଦବୀ ପାଇଁ ପୂର୍ବରୁ ହିଁ ଟକ୍କର ହେବ ବୋଲି ଜଣାପଡିଥିଲା। ସଭାପତି ପଦବୀ ପାଇଁ ପ୍ରଭାକର ପ୍ରଧାନ ଏବଂ ଦୁର୍ଗା ତ୍ରିପାଠୀଙ୍କ ମଧ୍ୟରେ ଲଢେଇ ହୋଇଥିଲା। ପ୍ରଭାକର ପ୍ରଧାନ ୫୦ଟି ଭୋଟ ପାଇଥିବା ବେଳେ ଦୁର୍ଗା ତ୍ରିପାଠୀ ୪୪ଟି ଭୋଟ ପାଇଥିଲେ। ପ୍ରଭାକର ପ୍ରଧାନ ୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ସଂପାଦକ ପଦବୀ ପାଇଁ ପ୍ରକାଶ ମହାନ୍ତି ୬୩ ଖଣ୍ଡ ଭୋଟ ପାଇଥିବା ବେଳେ ଲମ୍ବୋଦର ତୁର୍କୁ ୩୧ ଖଣ୍ଡ ଭୋଟ ପାଇଥିଲେ। ତେବେ ପ୍ରକାଶ ମହାନ୍ତି ୩୨ଟି ଭୋଟରେ ବିଜୟୀ ହୋଇଥିଲେ।

ଉପସଭାପତି ପଦବୀ ପାଇଁ ମାନସ ସ୍ବାଇଁ , ରାଜେଶ ପଟନାୟକ , ଦୁର୍ଗା ପ୍ରସାଦ ପଣ୍ଡା ଏବଂ ଲକ୍ଷ୍ମନ ଥାପ୍ପା ମଧ୍ୟରେ ଟକ୍କର ହୋଇଥିଲା। ମାନସ ସ୍ବାଇଁ ୪୮ ଖଣ୍ଡ ଭୋଟ ପାଇଥିବା ବେଳେ ରାଜେଶ ପଟନାୟକ ୨୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦେଖିବାକୁ ମିଳିଛି । ଦୁର୍ଗାପ୍ରସାଦ ପଣ୍ଡା ୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଥାପ୍ପା ତାଙ୍କ ନିଜର ଖଣ୍ଡିଏ ଭୋଟ ପାଇ ଅମାନତ ହରାଇଥିଲେ। ମାନସ ସ୍ବାଇଁ ୨୭ଟି ଭୋଟରେ ରାଜେଶ ପଟନାୟକଙ୍କ ଠାରୁ ବିଜୟଲାଭ କରିଥିଲେ।ଅନ୍ୟଦୁଇଟି ପଦବୀ ଯଥା କୋଷାଧ୍ୟକ୍ଷ ଏବଂ ସହ ସଂପାଦକ ପାଇଁ ନିର୍ଦ୍ବନ୍ଦରେ ଭବତୋଷ ବିଶ୍ବାସ ଏବଂ ହୀରଜା ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି। ତେବେ ସକାଳୁ ନିର୍ବାଚନ ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରଠାରେ ଏଜେଣ୍ଟମାନଙ୍କୁ ରଖିବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଶେଷରେ ପୁଲିସକୁ ନିର୍ବାଚନ ସ୍ଥାନରେ ଜଗିବାକୁ ପଡିଥିଲା।

Get real time updates directly on you device, subscribe now.