fbpx

ବୀରଭୂମ ହିଂସାର ୧୦ ପୀଡିତଙ୍କ ପରିଜନଙ୍କୁ ‘ଗ୍ରୁପ ଡି’ର ଚାକିରି ଦେଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୀରଭୂମ ଜିଲ୍ଲାର ରାମପୁରାହଟର ବୋଗଟୁଇ ଗାଁ ନରସଂହାରରେ ପ୍ରାଣ ହରାଇଥିବା ୧୦ ମୃତକଙ୍କ ପରିବାର ଲୋକଙ୍କୁ ଗ୍ରୁଡ ଡିରେ ଚାକିରି ଦେଇଛନ୍ତି। ସୋମବାର ରାଜ୍ୟ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୀଡିତଙ୍କୁ ଚାକିରି ଦେଇଛନ୍ତି। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେ ପୂରଣ କରିଥିବା ମମତା ବାନାର୍ଜୀ କହିଛନ୍ତି।

ମମତା ବାନାର୍ଜୀ ନିଜେ ବୋଗଟୁଇ ଗାଁ ଯାଇଥିଲେ ଏବଂ ପୀଡିତଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ଏଥିସହ ପୋଲିସକୁ ଏହି ମାମଲାରେ ତ୍ଵରିତ ଗତିରେ ଯାଞ୍ଚ କରିବାକୁ ଆଦେଶ ଦେଇଥିଲେ। ମାତ୍ର କଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏବେ ଏହି ମାମଲାରେ ଯାଞ୍ଚ କରୁଛି। ଏ ପର୍ଯ୍ୟନ୍ତ ମୋଟ୍ ୨୧ ଜଣଙ୍କୁ ଗିରଫ କରାଯାଇଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡିତଙ୍କ ପରିଜନଙ୍କୁ ପାଞ୍ଚ ପାଞ୍ଚ ଲକ୍ଷ ଟଙ୍କା ଏବଂ କ୍ଷତିଗ୍ରସ୍ତ ଘରଗୁଡିକୁ ପୁନଃନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଏଥିସହ ଆହତଙ୍କୁ ୫୦ ହଜାର ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଶ୍ଚିମବଙ୍ଗରେ ହିଂସାକାଣ୍ଡକୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଚିନ୍ତା ପ୍ରକାଶ କରିଛନ୍ତି। ଏହି ସବୁ ବିଶିଷ୍ଟ ବ୍ୟକ୍ତିଙ୍କ ଏକ ସମୂହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ରାଜ୍ୟରେ ଦୀର୍ଘ ସମୟ ଜାରି ହିଂସା ପରମ୍ପରାକୁ ସମାପ୍ତ କରିବା ପାଇଁ ହସ୍ତକ୍ଷେପ ନେବାକୁ ଦାବି କରିଛନ୍ତି। ବଙ୍ଗାଳିରେ ଲେଖା ହୋଇଥିବା ଚିଠିରେ ଅନେକ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ଏବଂ କବି ରାଜ୍ୟରେ ହିଂସା ରୋକିବାକୁ ଅପିଲ୍ କରିଛନ୍ତି।

Get real time updates directly on you device, subscribe now.